Site icon ଆଜିକାଲି

ଚକଡା ପୋକ ଚିନ୍ତାରେ ଚାଷୀ କୂଳ

କେନ୍ଦୁଝର, ଜିଲ୍ଲାରେ ଚାଷୀଙ୍କ ନିଦ ହଜାଇ ଦେଲାଣି ଚକଡା ପୋକ। ଶହ ଶହ ହେକ୍ଟର ଧାନ ଫସଲରେ ମାଡି ଗଲେଣି ଚକଡା ପୋକ। ଅମଳ ପୂର୍ବରୁ ଚକଡ଼ା ପୋକ ଲାଗିଯିବାରୁ ଏବେ ଧାନ ବଦଳରେ ଜମିରେ ପଡିରହିଛି କୁଟା ପାଳ। ଫଳରେ ଚାଷୀ ହତାଶ ହୋଇପଡିବା ସହ ଅର୍ଥ ହାନିକୁ ନେଇ ଏବେ ଚିନ୍ତାରେ ରହିଛନ୍ତି। ଚାଷୀଙ୍କୁ ନୟାନ୍ତ କଲାଣି ଚକଡା ପୋକ। ଚାଷ ଜମିରେ ଏବେ ପଡି ରହିଛି କୁଟା ପାଳ। ସମସ୍ତ ଫସଲ ନଷ୍ଟ । ଏବେ ଧାର କରଜ ସୁଝିବା ଚିନ୍ତାରେ ଚାଷୀକୁଳ। ଚଳିତବର୍ଷ କେନ୍ଦୁଝର ଜିଲ୍ଲାରେ ଭଲ ବର୍ଷା ହୋଇଥିବାରୁ ଧାନ ଫସଲ ଓ ଅମଳ ଭଲ ହେବ ବୋଲି ଅଶା କରାଯାଉଥିଲା । ଜିଲ୍ଲାରେ ଏବର୍ଷ ମୋଟ ୧ଲକ୍ଷ ୫୬ ହଜାର ହେକ୍ଟରରୁ ଅଧିକା ଜମିରେ ଧାନଫସଲ କରାଯାଇଛି। ଆଉ ଅଳ୍ପଦିନ ପରେ ଚାଷୀ ତାର ପରିଶ୍ରମର ଫଳ ପାଇଥାନ୍ତା । ହେଲେ ଜିଲ୍ଲାର ୧୧ ଗୋଟି ବ୍ଲକର ୨୦୮ ହେକ୍ଟର ଧାନ କ୍ଷେତରେ ଚକଡ଼ା ପୋକ ବା ମାଟିଆଗୁଣ୍ଡି ପୋକ ମାଡିଯାଇଛି । ପୋକ ପ୍ରଭାବରୁ ଧାନ କ୍ଷେତରେ ଏବେ ନଡା କୁଟା ଭର୍ତ୍ତି ହୋଇ ରହିଛି। ଫଳରେ ଚାଷି ଏବେ ଚିନ୍ତାରେ ପଡ଼ିଛି। କୃଷି ବିଭାଗ ପାଖରେ ବି ଚାଷ କ୍ଷୟକ୍ଷତି ନେଇ ସୂଚନା ରହିଛି । ଚକଡା ପୋକ ସମ୍ପର୍କରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ମିହିର ରଞ୍ଜନ ସାହୁ ପ୍ରତିଦିନ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି। ଏହି ସମୟରେ ଚକଡା ପୋକ ପାଇଁ ପାଗ ଅନୁକୂଳ ହୋଇଥାଏ । ତେଣୁ ଚାଷୀ ମାନଙ୍କୁ ଚକଡା ପୋକ ସମ୍ପର୍କରେ ସଚେତନ କରାଯାଉଛି। ଏବଂ ସରକାରଙ୍କ ପକ୍ଷରୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ।

Exit mobile version