Site icon ଆଜିକାଲି

ବାଲେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥରର ହଳଦୀପଦା ଗେମନ ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ, ବସ୍ତା ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମର ରାହୁଲ ହାତୀ, ପରେଶ ବେହେରା ଓ ପର୍ଶୁରାମ ବେହେରା ତିନି ଜଣ ସାଙ୍ଗ ଗତକାଲି ବାଇକରେ କୌଣସି କାମରେ ବାଲେଶ୍ବର ଯାଇ ଥିବା ବେଳେ ରାତିରେ ଘରକୁ ଫେରୁଥିଲେ । ଏହି ସମୟରେ ହଳଦୀପଦା ଗେମନ ବ୍ରିଜ ନିକଟରେ ବାଇକର ଚକା ସ୍ଲିପ କରିବାରୁ ବାଇକଟି ସିମେଣ୍ଟ ପାହ୍ୟାରେ ପିଟି ହୋଇ ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସି ପଡିଥିଲା ।

ପ୍ରବଳ ଶୀତ ଏବଂ ଅନ୍ଧାର ରାତି ଯୋଗୁଂ ଜନଶୂନ୍ୟ ହୋଇଥିବାରୁ ଏମାନଙ୍କୁ କେହି ଦେଖି ପାରି ନଥିଲେ । କିଛି ସମୟ ପରେ ଏମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ହଳଦୀପଦା ଫାଣ୍ତି ପୋଲିସ ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନକୁ ଖବର ଦେବା ପରେ ସେମାନେ ପହଞ୍ଚି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାହୂଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଦୁଇଜଣଙ୍କ ମଧ୍ଯରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Exit mobile version