Site icon ଆଜିକାଲି

ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା : ଶ୍ରେଷ୍ଠ ରାଜ୍ୟ ବର୍ଗ ତାଲିକାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର : ପୁଣିଥରେ ଜାତୀୟ ସ୍ତରରେ ଚମକିଛି ଓଡ଼ିଶା। ପଞ୍ଚମ ଜାତୀୟ ଜଳ ପୁରସ୍କାର ୨୦୨୩ ଘୋଷଣା ହୋଇଥିବା ବେଳେ ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ତାଲିକାରେ ଉତ୍ତରପ୍ରଦେଶ ଦ୍ୱିତୀୟ ଏବଂ ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯିବ। ନୂଆଦିଲ୍ଲୀସ୍ଥିତ ଶ୍ରମଶକ୍ତି ଭବନଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍‌ ପାଟିଲ ଏହି ପୁରସ୍କାର ଘୋଷଣା କରିଛନ୍ତି।

ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ବିଦ୍ୟାଳୟ କିମ୍ୱା ମହାବିଦ୍ୟାଳୟ ଭଳି ୯ଟି ବର୍ଗର ଯୁଗ୍ମ ବିଜେତାଙ୍କ ସମେତ ୩୮ ଜଣ ବିଜେତାଙ୍କ ନାମ ଘୋଷଣା କରିଛି। ଶ୍ରେଷ୍ଠ ଶିଳ୍ପ, ଶ୍ରେଷ୍ଠ ଜଳ ଉପଭୋକ୍ତା ସଂଘ, ଶ୍ରେଷ୍ଠ ଅନୁଷ୍ଠାନ (ବିଦ୍ୟାଳୟ କିମ୍ୱା କଲେଜ ବ୍ୟତୀତ), ଏବଂ ଶ୍ରେଷ୍ଠ ନାଗରିକ ସମାଜ ବିଜେତାଙ୍କ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି। ଏହି ପୁରସ୍କାର ବିତରଣ ସମାରୋହ ଆସନ୍ତା ୨୨ ତାରିଖରେ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନସ୍ଥିତ ପ୍ଲେନାରୀ ହଲରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୨୦୨୩ ମସିହା ପାଇଁ ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ୫ମ ଜାତୀୟ ଜଳ ପୁରସ୍କାର ଶୁଭାରମ୍ଭ କରାଯାଇଥିଲା। ସମୁଦାୟ ୬୮୬ଟି ଆବେଦନ ଆସିଥିଲା। ଜୁରି କମିଟି ଦ୍ୱାରା ଆବେଦନଗୁଡ଼ିକର ଯାଞ୍ଚ ଏବଂ ମୂଲ୍ୟାଙ୍କନ କରାଯାଇଥିଲା। କେନ୍ଦ୍ରୀୟ ଜଳ ଆୟୋଗ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଆବେଦନଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା। କ୍ଷେତ୍ର ସ୍ତରୀୟ ସତ୍ୟତା ରିପୋର୍ଟ ଆଧାରରେ ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶା ସ୍ଥାନ ପାଇଛି।

Exit mobile version