Site icon ଆଜିକାଲି

ପ୍ରଥମ ସ୍ଥାନଭିତ୍ତିକ ଗବେଷଣା ସଂକଳନ ଉନ୍ମୋଚିତ

ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ଥାନ ଭିତିକ ଗବେଷଣା ସଂକଳନକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି । ଏଥି ପାଇଁ ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆୟୋଜିତ ବୈଠକରେ ଗୋପବନ୍ଧୁ ଏକାଡ଼େମୀର ମହା ନିର୍ଦ୍ଦେଶକ ଶ୍ରୀମତୀ ରଂଜନା ଚୋପ୍ରା ଏବଂ ୟୁନିସେଫ୍ ର ରାଜ୍ୟ ମୁଖ୍ୟ ଡ଼ଃ ମୋନିକା ନିଲେସନ୍ ଯୋଗ ଦେଇଥିଲେ ।

ଉତ୍କର୍ଷ କେନ୍ଦ୍ରର ଏତାଦୃଶ ସୃଜନାତ୍ମକ ପ୍ରଚେଷ୍ଟା ପାଇଁ ଗବେଷକମାନଙ୍କୁ ସାଧୁବାଦ ଜଣାଇବା ସହ ରାଜ୍ୟର ବିଭିନ୍ନ ଅଂଚଳରେ ଏ ପ୍ରକାର ଅଧ୍ୟୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଏସବୁ ଅଧ୍ୟୟନ ମାଧ୍ୟମରେ ଜନ-ସମୁଦାୟମାନଙ୍କର ଆବଶ୍ୟକତା, ଆକାଂକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଥିବା କ୍ଷେତ୍ରସ୍ତରୀୟ ଗୁରୁତ୍ୱପୂର୍ଣ୍ଣ-ଶୂନ୍ୟତା (କ୍ରିଟିକାଲ୍ ଗ୍ୟାପ୍‌) ଆଦି ଜାଣି ହେବ । ଅଧ୍ୟୟନର ଫଳାଫଳ ଅଧିକାରୀମାନଙ୍କ ତାଲିମ ନିମନ୍ତେ ଅତି ଉପାଦେୟ ଦେବା ସହ ଏବଂ ଅନ୍ୟତ୍ର ପ୍ରୟୋଗ ନିମନ୍ତେ ବିଭିନ୍ନ ପ୍ରକଳ୍ପ ନମୁନା ପ୍ରସ୍ତୁତିରେ ସହାୟକ ହେବ । ଅଧ୍ୟୟନରୁ ପ୍ରାପ୍ତ ତଥ୍ୟ ଓ ଉପସଂହାର ବିଷୟରେ ସଂପୃକ୍ତ ବିଭାଗମାନଙ୍କ ସହ ଆଲୋଚନାତ୍ମକ ଅନୁଶୀଳନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଗୋପବନ୍ଧୁ ଏକାଡ଼େମୀଙ୍କୁ ପରାମର୍ଶ ଦେଇଥିଲେ । ଏହା କ୍ଷେତ୍ରସ୍ତରୀୟ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସହଯୋଗିତା-ଭିତିକ ଯୋଜନା ଓ ପ୍ରକଳ୍ପ ପ୍ରସ୍ତୁତି ଦିଗରେ ସହାୟକ ହେବ । ମହା ନିର୍ଦ୍ଦେଶ ଶ୍ରୀମତୀ ଚୋପ୍ରା କହିଥିଲେ ଯେ ରାଜ୍ୟ ସରକାରଙ୍କ ପାଣ୍ଠି ଏବଂ ୟୁନିସେଫ୍‌ଙ୍କ ବୈଷୟିକ ସହଯୋଗିତାରେ ୨୦୨୧ ମସିହାରୁ ଗୋପବନ୍ଧୁ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ରାଜ୍ୟ ତାଲିମ ନିୟାମକ ଅନୁସାରେ କାର୍ଯ୍ୟ କରୁଛି । ଏହାର ପ୍ରଥମ ସଂକଳନ ବର୍ତମାନ ପ୍ରକାଶିତ ହେଲା । ଏହି ସଂକଳନ ଉଭୟ ଉନ୍ନୟନମୂଳକ-ପ୍ରଶାସନ ଏବଂ ଅଧିକାରୀ ମାନଙ୍କ ତାଲିମର ଗୁଣାତ୍ମକ ବିକାଶରେ ବ୍ୟବହୃତ ହେବ ।

ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଡ଼ଃ ଶଶାଙ୍କ ଗ୍ରହାଚାର୍ଯ୍ୟ କହିଥିଲେ ଯେ ବିବିଧ ବିଷୟରେ ୧୯ ଟି ଫଳାଫଳ ଭିତିକ ଗବେଷଣା ଏହି ସଂକଳନରେ ସ୍ଥାନିତ ହୋଇଛି । ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକାରିତା, ମହିଳା ବୁଣାକାରଙ୍କ ରୋଜଗାର ଉପରେ କୋଭିଡ୍‌-୧୯ ର ପ୍ରଭାବ, ସିକଲ୍ ସେଲ୍ର ପ୍ରଥମାବସ୍ଥାରୁ ନିର୍ଣ୍ଣୟ ଓ ଚିକିତ୍ସା , ଉପକୂଳ ଅଂଚଳରେ ମତ୍ସ୍ୟଜୀବୀ ସମୁଦାୟ, ମାନସିକ ଅନଗ୍ରସର ପିଲାମାନଙ୍କର ଯତ୍ନ ଓ ଶିକ୍ଷା, ସ୍ୱାଧାର ଗୃହର କାର୍ଯ୍ୟକାରିତା, କିଶୋରୀମାନଙ୍କ ମଧ୍ୟରେ ରକ୍ତହୀନତା, ଧାନ ସଂଗ୍ରହ, ଅପପୁଷ୍ଟିର ସମାଧାନ, ବନ୍ୟଜନ୍ତୁ ଶିକାର ନିରାକରଣ, ଜନସମୁଦାୟ ସ୍ତରରେ ନୂତନ ଜିବୀକା ନିର୍ବାହ ପନ୍ଥା ଆଦି ପ୍ରମୁଖ ବିଷୟ ଏଥିରେ ସ୍ଥାନିତ ହୋଇଛି । ଡ଼ଃ ଶଶାଙ୍କ ଗ୍ରହାଚାର୍ଯ୍ୟ, ପଦ୍ମଜା ପତି, ସୌମ୍ୟ ବାନାର୍ଜୀ, ରଶ୍ମିତା ବେହେରା ଏବଂ ଅମର୍ତ୍ୟ କ୍ରିଷ୍ଣା ରାୟ ଆଦି ଗବେଷକମାନଙ୍କୁ ନେଇ ଗଠିତ ଉତ୍କର୍ଷ କେନ୍ଦ୍ରର ଗବେଷଣା ଟିମ୍‌ଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି । ସଂକଳନଟିକୁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଏବଂ ୟୁନିସେଫ୍‌ଙ୍କ ଦ୍ୱାରା ଯୌଥ ଭାବେ ପ୍ରକାଶନ କରାଯାଇଛି ।

Exit mobile version