Site icon ଆଜିକାଲି

ବନ୍ୟା କ୍ଷୟକ୍ଷତି ରିପୋର୍ଟ : ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ

ଭୁବନେଶ୍ବର : ରାଜ୍ୟରେ ଏଥର ବର୍ଷା ଏବଂ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାରି ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହୋଇଛି। ଏଥର ବନ୍ୟା ପୂରାପୂରି ଭାବେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଜାଣିବାକୁ ମିଳିଛି ଯେ ଚଳିତ ବନ୍ୟାରେ ୧ ଲକ୍ଷ ୨୦ ହଜାର ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଯାଇଛି।

ରିପୋର୍ଟ ଅନୁସାରେ ଚଳିତବର୍ଷ ବନ୍ୟା ଓ ବର୍ଷାରେ ୨୪ଟି ଜିଲାର ଚାଷୀ ପ୍ରଭାବିତ ହୋଇଛନ୍ତି। ସେହିପରି ୧୦ଟି ଜିଲାର ଚାଷୀମାନଙ୍କର ଅଧିକ କ୍ଷୟକ୍ଷତି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲାରେ ଅଧିକ ଚାଷ ଜମି କ୍ଷତି ହୋଇଛି। ଜଗତସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଗତ ସୋମବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବନ୍ୟା କ୍ଷତିଗ୍ରସ୍ତ ଜିଲାକୁ ଯଥାଶୀଘ୍ର ସଅଳ କିସମ ବିହନ, ସେପ୍ଟେମ୍ବର ସୁଦ୍ଧା ଡାଲିଜାତୀୟ, ଚିନାବାଦାମ ବିହନ ଯୋଗାଇବା ପାଇଁ ବିହନ ନିଗମର ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ଖରିଫ ଫସଲ ଏବଂ ପ୍ରାଣୀଧନ ଓ ମତ୍ସ୍ୟ ସମ୍ପଦର ବନ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା ବେଳେ ଏହା କୁହାଯାଇଛି। ଏଥିରେ ହାଇବ୍ରିଡ ପରିବା, ଫୁଲକୋବି, ବନ୍ଧାକୋବି ବିହନ ଯୋଗାଇ ଦିଆଯିବା ନେଇ ଗୁରୁତ୍ବ ଦେଇଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବ ଶୀଘ୍ର ଫସଲ ବୀମା ଯୋଗାଇବା ପାଇଁ ସମ୍ପୃକ୍ତ କମ୍ପାନିମାନଙ୍କ ସହିତ ଆଲୋଚନା ଲାଗି ଅଧିକାରୀଙ୍କୁ କୁହାଯାଇଥିଲା।

Exit mobile version