Site icon ଆଜିକାଲି

‘ଦାନା’ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ବାଲେଶ୍ୱରରେ ବନ୍ୟା, ସାଢ଼େ ୧୦ହଜାର ଲୋକ ସ୍ଥାନାନ୍ତର

ଭୁବନେଶ୍ୱର : ବାତ୍ୟା ଦାନା ପ୍ରଭାବରେ ଏବେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ୱର ଜିଲ୍ଲାର ୨ଟି ବ୍ଲକର ୧୦୫୦୦ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏପଟେ ବାତ୍ୟା ପ୍ରଭାବିତ ଅଂଚଳରେ ୯୨% ଘରକୁ ବିଦ୍ୟୁତ ପୁନଃସଂଯୋଗ ଦିଆଯାଇଛି । ଆଜି ରାତି ସୁଦ୍ଧା ବାକି ଥିବା ଅଂଚଳକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ । ପାଣି ଛାଡ଼ିନଥିବାରୁ ଏବେବି ଆଶ୍ରୟସ୍ଥଳୀରେ ୧ଲକ୍ଷ ୧୦ହଜାର ୫୧୩ଜଣ ଲୋକ ଆଶ୍ରୟ ନେଇଛନ୍ତି । ଆଜି ବାତ୍ୟା ‘ଦାନା’ ପରବର୍ତ୍ତୀ ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବାତ୍ୟା “ଦାନା” ଦ୍ୱାରା କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା । ରାଜ୍ୟରେ ବାତ୍ୟା ଆଶ୍ରୟସ୍ଥଳକୁ ସମୁଦାୟ ୮ ଲକ୍ଷ ୯ ହଜାର ୫୧୩ ଲୋକମାନଙ୍କୁ ଅଣାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବାପରେ ଲୋକମାନେ ନିଜ ଘରକୁ ଫେରିଛନ୍ତି । ବର୍ତ୍ତମାନ ମାତ୍ର ୧ ଲକ୍ଷ ୧୦ ହଜାର ୭୭୦ ଜଣ ଆଶ୍ରୟସ୍ଥଳୀରେ ଅଛନ୍ତି । ଯେଉଁ ଅଞ୍ଚଳରେ ପାଣି ଜମି ରହିଛି, ସେଠାରେ ଲୋକମାନେ ଏ ପର୍ଯ୍ୟନ୍ତ ଅଛନ୍ତି। ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସେମାନେ ସେଠାରେ ରହିପାରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବାତ୍ୟା ଯୋଗୁ ସମୁଦାୟ ୨୨.୮୪ ଲକ୍ଷ ପରିବାରକୁ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଥିଲା । ଗଛ ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିଥିଲା । ଆଜି ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ସୁଦ୍ଧା ୯୨ ପ୍ରତିଶତରୁ ଅଧିକ ପରିବାରକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି ।

କେନ୍ଦ୍ରାପଡାରେ ବର୍ତ୍ତମାନ ସ୍ଥିତି ପ୍ରାୟତ ସ୍ୱାଭାବିକ ଅଛି। ବର୍ତ୍ତମାନ ସୁଦ୍ଧା ବାତ୍ୟା ଦ୍ୱାରା ପ୍ରଭାବିତ ୯୫ ପ୍ରତିଶତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି। ପ୍ରାୟ ୧୫ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି । ସେମାନଙ୍କୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ବର୍ତ୍ତମାନ ମଧ୍ୟ କାମ ଜାରି ରହିଛି ।

ଭଦ୍ରକରେ ଜଳବନ୍ଦୀ ସମସ୍ୟା ଯୋଗୁ ବିଦ୍ୟୁତ ପୁନଃଯୋଗାଣ କାମ ବିଳମ୍ବ ହେଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୭ ପ୍ରତିଶତ ରିଷ୍ଟୋରେସନ ହୋଇଛି। ପ୍ରାୟ ୭୦ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି। ଅଧିକ ଟିମ୍ ନିୟୋଜିତ କରି ବର୍ତ୍ତମାନ ମଧ୍ୟ କାମ ଜାରି ରହିଛି । ଖୁବ୍ ଶୀଘ୍ର ପରିସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ସେ କହିଛନ୍ତି।

ବାଲେଶ୍ୱରର ସ୍ଥିତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବାଲେଶ୍ୱର ଜିଲ୍ଲାରେ ଆଜି ସନ୍ଧ୍ୟା ସୁଦ୍ଧା ବାକିଥିବା ସବୁ ରାସ୍ତା ଅବରୋଧ ହଟାଯାଇଛି । ପ୍ରାୟ ୮୧ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି। ବିଦ୍ୟୁତ ପୁନଃଯୋଗାଣ କାମ ଜାରି ରହିଛି। ସେହିପରି ଫସଲହାନୀ ଉପରେ ସୂଚନା ଦେଇ କହିଛନ୍ତି ଯେ, ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି ଯେ ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି। ପାଣି ଛାଡିଲା ପରେ ଏହାର ସଠିକ୍ ଆକଳନ କରାଯାଇ ଚାଷୀମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିମିଳିପାଳରେ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବୁଢାବଳଙ୍ଗ ନଦୀରେ ଜଳସ୍ତରରେ ବୃଦ୍ଧି ଘଟୁଛି । ତେବେ ବର୍ତ୍ତମାନ ଶେଷ ରିପୋର୍ଟ ଅନୁଯାୟୀ ଜଳ ସ୍ତର ସ୍ଥିର ଅଛି। ବର୍ଷା ବନ୍ଦ ହୋଇଥିବାରୁ ଆହୁରି କମିବାର ସମ୍ଭାବନା ଅଛି। ବାଲେଶ୍ୱର ଜିଲ୍ଲାରେ ୬ ଟି ଗ୍ରାମ ପଞ୍ଚାୟତର ୨୦ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଅଛି । ରେମୁଣା ବ୍ଲକର ୨୫୦୦ ଓ ବାଲେଶ୍ୱର ସଦର ବ୍ଲକର ୮ ହଜାର ଲୋକଙ୍କୁ ପ୍ରଶାସନ ଏ ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଆଣିଛି । ସେଠାରେ ପ୍ରଶାସନ, ଓଡ୍ରାଫ, ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି ।

ମୟୂରଭଞ୍ଜର ସ୍ଥିତି ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ଓ ଯୋଗା ଯୋଗ ବ୍ୟବସ୍ଥା ସ୍ୱାଭାବିକ ହୋଇଛି । ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ସେଠାରେ ମଧ୍ୟ ପ୍ରଶାସନ, ଓଡ୍ରାଫ, ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି । ବନ୍ୟା ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାକୁ ଅତିରିକ୍ତ ୧୧ ଗୋଟି ପାୱାରବୋଟ୍ ଏବଂ ବାଲେଶ୍ୱର ଜିଲ୍ଲାକୁ ଅତିରିକ୍ତ ୧୦ ଗୋଟି ପାୱାରବୋଟ୍ ପଠେଇବାକୁ ନିର୍ଦ୍ଦେଶ ଦେଇଛି । ବାଲେଶ୍ୱରର ଗୋବିନ୍ଦପୁର ସେତୁ ଠାରେ ବର୍ତ୍ତମାନ ଜଳସ୍ତର ୭.୮୪ ମିଟର ରେ ପ୍ରବାହିତ ହେଉଅଛି, ଯାହାକି ବିପଦ ସଂକେତଠାରୁ ତଳେ ଅଛି । ଏ ପର୍ଯ୍ୟନ୍ତ ସର୍ପାଘାତରେ ୨୮ ଜଣ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ ପୁରୁଷ ଓ ୧୩ ଜଣ ମହିଳା ଅଟନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version