Site icon ଆଜିକାଲି

ବିଜେଡିର ୩ ନୂଆ କମିଟି ଗଠନ, ୨୭ରେ ନବୀନ ଡାକିଲେ ଜରୁରୀ ବୈଠକ

ଭୁବନେଶ୍ବର :  ବିଜେଡି ୩ ନୂଆ କମିଟି ଗଠନ କରିଛି । ଦଳ ପକ୍ଷରୁ  ପରାମର୍ଶଦାତା କମିଟି, କାର୍ଯ୍ୟକ୍ରମ ପରିଚାଳନା କମିଟି ଓ ସଭ୍ୟ ସଂଗ୍ରହ ଅଭିଯାନ କମିଟି ଗଠନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏହି କମିଟି ଗଠନ କରିଛନ୍ତି। 

ପରାମର୍ଶଦାତା କମିଟିରେ ୧୭ ଜଣ ସଭ୍ୟ ଅଛନ୍ତି। ଏଥିରେ ପ୍ରସନ୍ନ ଆଚାର୍ଯ୍ୟ ଆବାହକ ରହିଛନ୍ତି। ଉଷା ଦେବୀ, ପ୍ରଫୁଲ୍ଳ କୁମାର ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ,  ପ୍ରଫୁଲ୍ଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା,  ପଦ୍ମନାଭ ବେହେରା,  ବଦ୍ରି ନାରାୟଣ ପାତ୍ର, ମଙ୍ଗଳା କିଷାନ, ଭୃପିନ୍ଦର ସିଂ, ରବି ନାରୟଣ ନନ୍ଦ,  ଆୟୁବ ଖାନ, ସରୋଜିନି ହେମ୍ବ୍ରମ, ଶଶୀଭୂଷଣ ବେହେରା, ରଜନୀକାନ୍ତ ସିଂ, ଗଣେଶ୍ବର ବେହେରା ଏହି କମିଟିରେ ସଭ୍ୟ ଅଛନ୍ତି। ସେହିପରି ସଭ୍ୟ ସଂଗହ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ସଭ୍ୟ ସଂଗ୍ରହ ଅଭିଯାନ କମିଟି ଗଠନ  କରାଯାଇଛି। ଏଥିରେ ୨୨ ଜଣ ସଭ୍ୟ ରହିଛନ୍ତି। ଅତୁନ ସବ୍ୟସାଚୀ ନାୟକ ଏହାର ଆବାହକ ଅଛନ୍ତି। ସେହିପରି କାର୍ଯ୍ୟକ୍ରମ ପରିଚାଳନା କମିଟି ଗଠନ କରାଯାଇଛି। ଏଥିରେ ସଞ୍ଜୟ କୁମାର ଦାସବର୍ମା  ଆବାହକ ରହିଥିବା ବେଳେ ୨୧ ଜଣ କମିଟି ସଦସ୍ୟ ରହିଛନ୍ତି। 

ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଦଳରେ ବଢ଼ୁଥିବା ତୀବ୍ର ଗୋଷ୍ଠୀକନ୍ଦଳ ଓ ବୟାନବାଜି ଉପରେ ଲଗାମ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୨୭ତାରିଖରେ ଶଙ୍ଖଭବନରେ ଏକ ଜରୁରୀ ବୈଠକ ଡାକିଛନ୍ତି । ଦଳର ୧୫ଜଣିଆ ସମନ୍ୱୟ କମିଟି ସଦସ୍ୟମାନଙ୍କ ସମେତ ଆଉ ୩ଟି ନୂଆ କମିଟିର ୬୦ଜଣିଆ ସଦସ୍ୟ ଓ ସମସ୍ତ ସାଂଗଠନିକ ଜିଲ୍ଲା ସଭାପତିମାନଙ୍କୁ ଏହି ବୈଠକରେ ସାମିଲ ହେବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ‘ଦଳରେ ସବୁକିଛି ଠିକ୍ ଚାଲିଛି’ ବୋଲି ସନ୍ଦେଶ ଦେବାକୁ ବିଜେଡି ଯୋଜନା କରିଥିବା ଚର୍ଚ୍ଚା ହେଉଛି ।

ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୨୭ତାରିଖ ଶୁକ୍ରବାର ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି ବୈଠକରେ ଦଳର ଭବିଷ୍ୟତର ସାଂଗଠନିକ କାର୍ଯ୍ୟପନ୍ଥା ସହ ନିର୍ବାଚନ ବିପର୍ଯ୍ୟୟର କାରଣ ଖୋଜା ପାଇଁ କମିଟି ଚୟନ ଆଦି ଉପରେ ବିଚାରବିମର୍ଶ ହେବ । ବିରୋଧୀ ଦଳରେ ରହି ମଧ୍ୟ ବିକାଶକୁ ବିଜେଡି ପ୍ରାଥମିକତା ଦେଉଛି । ଆଗକୁ ବିକାଶ ପାଇଁ ମଧ୍ୟ ହଲଚଲ୍ ଲାଗି ରହିବ । ୨୭ତାରିଖ ବୈଠକରେ ଦଳର ପଦଯାତ୍ରା, ନୂଆ କମିଟି ଓ ଅନ୍ୟ ସାଂଗଠନିକ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି।

Exit mobile version