Site icon ଆଜିକାଲି

ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର : ପୂର୍ବତନ ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ନେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ହେଉଛନ୍ତି ଜୟନ୍ତୀ ପଟ୍ଟନାୟକ । ଜଣେ ସାହିତ୍ୟିକା ଭାବେ ସେ ବେଶ ଜଣାଶୁଣା ଥିଲେ।

ଜୟନ୍ତୀ ପଟ୍ଟନାୟକ ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ସହ ଜଣେ ଭଲ ବକ୍ତା ଥିଲେ। ଲୋକସଭାକୁ ନିର୍ବାଚିତ ହେବାରେ ସେ ଥିଲେ ଓଡ଼ିଶାର ପ୍ରଥମ ମହିଳା । ୧୯୮୧ ମସିହାରେ ସେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ହରିହର ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ୧୯୫୩ ମସିହାରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।

ସେ ମୋଟ ୪ ଥର ସାଂସଦ ନିର୍ବାଚିତ ହୋଇଥିଲେ । ୧୯୮୪ରେ ଦ୍ୱିତୀୟ ଥର କଟକ ଆସନରୁ ସେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୮ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ପ୍ରଥମ ଓଡିଆ ଭାବେ ସେ ୧୯୮୭ ମସିହାରେ ଅଖିଳ ଭାରତ ମହିଳା କଂଗ୍ରେସର ସଭାପତି ହୋଇଥିଲେ । ୧୯୯୨ରୁ ୧୯୯୫ ମସିହା ପର୍ଯ୍ୟନ୍ତ ନବଗଠିତ ଜାତୀୟ ମହିଳା କମିସନର ସେ ପ୍ରଥମ ଅଧ୍ୟକ୍ଷା ଥିଲେ।

Exit mobile version