Site icon ଆଜିକାଲି

ଉଦୟ ଫାଉଣ୍ଡସନ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

କେନ୍ଦୁଝର, ସାରା ଭାରତରେ ଦିବ୍ୟାଙ୍ଗଙ୍କ ପାଇଁ ସାମାଜିକ ସଂଗଠନ ସକ୍ଷମ ତାର ନିରନ୍ତର ସେବା ଯୋଗାଇ ଆସୁଅଛି । ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଭଳି ସେବା ସକ୍ଷମ ପକ୍ଷରୁ ଯୋଗାଇଦିଆ ହେଉଛି । ଓଡ଼ିଶାରେ ସକ୍ଷମ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ ମିଳିତ ଭାବେ ମାଗଣା ଚକ୍ଷୁ ଶିବିର ଆୟୋଜନ କରି ଆସୁଛନ୍ତି । ଆଜି ଉଦୟ ଫାଉଣ୍ଡେସନ ସହାୟତାରେ ସକ୍ଷମ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ନେଲୁଙ୍ଗ ଗ୍ରାମ ପଞ୍ଚାୟତ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଉଦୟ ଫାଉଣ୍ଡେସନ ଟ୍ରଷ୍ଟ ସହାୟତାରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ସନ୍ତୋଷ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଚକ୍ଷୁ ଶିବିରକୁ ନେଲୁଙ୍ଗ ପଞ୍ଚାୟତର ସରପଞ୍ଚ ଚନ୍ଦ୍ରମଣି ସିଂ ଉଦଘାଟନ କରିଥିବା ବେଳେ ବରିଷ୍ଠ ପାଲା ଗାୟକ ପ୍ରସନ୍ନ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ପଞ୍ଚାୟତ ବୈଠକ ଗୃହରେ ଅନୁଷ୍ଠିତ ଶିବିରରେ ଏକ ଶହରୁ ଉର୍ଦ୍ଧ ଗ୍ରାମବାସୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ୨୦ ଜଣଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା ବେଳେ ୮ ଜଣଙ୍କୁ ମୋତିୟାବିନ୍ଦୁ ଚିକିତ୍ସା ପାଇଁ ଚିହ୍ନଟ କରାଯାଇଥିଲା । ମାଗଣା ଚକ୍ଷୁ ପରୀକ୍ଷା ଶିବିରରେ ଭୂମିକା ଚକ୍ଷୁ ଚିକିତ୍ସାଳୟର ଜେନେରାଲ ମ୍ୟାନେଜର କାର୍ଣ୍ଣାଟ କିଶୋର ଜେନା, ସକ୍ଷମ ରାଜ୍ୟ ସମ୍ପାଦକ ବୀରକିଶୋର ମହାନ୍ତ, ଜିଲ୍ଲା ସମ୍ପାଦକ ଡ଼ ମାନସ ପଣ୍ଡା, ଜିଲ୍ଲା ସଂରକ୍ଷକ ଗୋପୀନାଥ ମହାନ୍ତ, ନେଲୁଙ୍ଗ ନାଏବ ସରପଞ୍ଚ ସୁଧାଂଶୁ ଶେଖର ପାଢ଼ୀ, ବରିଷ୍ଠ ନାଗରିକ ସଞ୍ଜୟ ପଣ୍ଡା, ରମେଶ ମିଶ୍ର, ମଧୁସୂଦନ ମହାନ୍ତ , ଅଭିମନ୍ୟୁ ଦାସ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ଯେ ସକ୍ଷମ ପକ୍ଷରୁ ହରିଚନ୍ଦନପୁର, ସଦର , ପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି ।

FacebookTwitterLinkedinWhatsapp
Exit mobile version