Site icon ଆଜିକାଲି

ସମୟସୀମା ସରିଥିଲେ ବି ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ


ଭୁବନେଶ୍ୱର : ସମୟସୀମା ସରିଥିଲେ ବି ରାଜ୍ୟରେ ଜାରି ରହିବ ମାଗଣା କୋଭିଡ ଟିକାକରଣ । ମାଗଣା ଟିକାକରଣ ପାଇଁ ସେପ୍ଟେମ୍ବର ୩୦ ତାରିଖ ଥିଲା ସମୟ ସୀମା । ସମୟସୀମା ଶେଷ ହୋଇଥିଲେ ଆଗକୁ ମଧ୍ୟ ମାଗଣା ଟିକାକରଣ ଜାରି ରଖିବେ ରାଜ୍ୟ ସରକାର । ଯେହେତୁ ମାଗଣା ଟିକାକରଣ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ ତେଣୁ ରାଜ୍ୟରେ ଯେତିକି ଟିକା ମହଜୁଦ ଅଛି ତାହା ଶେଷ ନହେବା ପର୍ଯ୍ୟନ୍ତ ମାଗଣା ଟିକାକରଣ ଜାରି ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଆଗାମୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ । ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ଭିତରେ ଏକ କୋଟି ୨୧ଲକ୍ଷ ୫୦ହଜାର ବୁଷ୍ଟର ଡୋଜ ଟିକାକରଣ ସରିଛି ।

ଏବେସୁଦ୍ଧା ରାଜ୍ୟରେ ୯୭ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୯୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ସାରିଲେଣି । ବୁଷ୍ଟର ଡୋଜ ନେବାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶାରେ ଏବେ ୧ କୋଟି ୨୧ ଲକ୍ଷ ୫୦ ହଜାର ୨୪୩ ଜଣ ଲୋକ ପ୍ରିକସନ ଡୋଜ ନେଇ ସାରିଲେଣି । ଏହାପରେ ବି ୧୧୫୦ ଟିକାକେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଜାରି ରହିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Exit mobile version