Site icon ଆଜିକାଲି

୧୬ରୁ ୧୮ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ‘କୃଷି ଓଡ଼ିଶା ୨୦୨୩’

ଭୁବନେଶ୍ୱର : ଚଳିତ ଫେବୃଆରୀ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ରାଜ୍ୟସ୍ତରୀୟ ‘କୃଷି ଓଡ଼ିଶା ୨୦୨୩’ ଅନୁଷ୍ଠିତ ହେବ । କୃଷି ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ କୃଷିମେଳାରୁ ଚାଷୀମାନଙ୍କଠାରୁ ମିଳୁଥିବା ମତାମତ ଓ ସେମାନଙ୍କର ଅନୁଭୂତିକୁ ଆଧର କରି ରାଜ୍ୟ ସରକାର କୃଷି କାର୍ଯ୍ୟକ୍ରମ ପ୍ରଣୟନ କରୁଛନ୍ତି । କୃଷି ବିକାଶ ଯୋଜନା ଏବଂ ଆଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିକୁ କୃଷକମାନଙ୍କ ନିକଟତର କରିବା ପାଇଁ ଚଳିତ ବର୍ଷ ପ୍ରଥମଥର ପାଇଁ ଆଂଚଳିକ କୃଷିମେଳାର ଆୟୋଜନ କରାଯାଇଛି ଓ ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ତିନିଦିନିଆ କୃଷି ଓଡ଼ିଶାକୁ ୧୬ ତାରିଖ ଦିନ ୧୧ ଘଟିକା ସମୟରେମୁଖ୍ୟମନ୍ତ୍ରୀ ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ୧୮ ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ କୃଷି ଓଡ଼ିଶାରେ ମୋଟ ୧୭୫ ଗୋଟି ମଣ୍ଡପ ପ୍ରଦର୍ଶିତ ହେବ । ଏଥିରେ କୃଷି, ଉଦ୍ୟାନକୃଷି, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ମିଶନ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଜାତୀୟ ଧାନ ଗବେଷଣା କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା, କୃଷି ଉଦ୍ୟୋଗୀ, ବ୍ୟବସାୟିକ ପ୍ରତିଷ୍ଠାନ, କୃଷି ସାମଗ୍ରୀ ବିତରକ, କୃଷି ଉତ୍ପାଦନ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଓଡ଼ିଶା ମିଲେଟ୍ ମିଶନ ଆଦି ସଂସ୍ଥା ଭାଗନେବେ ।

ଏହି ଅବସରରେ ୧୦ ଗୋଟି ବିଷୟବସ୍ତୁ ଉପରେ କୃଷକ, କୃଷି ଉଦ୍ୟୋଗୀ, ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନାଚକ୍ରର ଆୟୋଜନ କରାଯାଇଛି । କ୍ଷୁଦ୍ରଶସ୍ୟ, ଧାରଣକ୍ଷମ ବିହନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା, ଚିରନ୍ତନ କୃଷି, ଜଳସେଚିତ ଅଂଚଳରେ ଘରୋଇ ସଂପ୍ରସାରଣ, ଉଦ୍ୟାନକୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ ଓ ପ୍ରାକୃତିକ ସଂପଦର ସୁପରିଚାଳନା ଆଦି ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । କୃଷି ଓଡ଼ିଶା ଉପଲକ୍ଷେ ରାଜ୍ୟର ୩୦ଟି ଜିଲ୍ଲାର ଅଗ୍ରଣୀ ଚାଷୀ, କୃଷି ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ସମସ୍ତ ଜିଲ୍ଲାରୁ କୃଷକମାନଙ୍କୁ କୃଷି ପ୍ରଦର୍ଶନୀ ପରିଭ୍ରମଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ‘କୃଷି ଓଡ଼ିଶା ୨୦୨୩’ ୱେବ୍ ସାଇଟକୁ ଲୋକାର୍ପିତ କରିଥିଲେ ।

ସାମ୍ବାଦିକ ସମ୍ମିଳନୀକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସମ୍ବୋଧିତ କରିଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ ।

Exit mobile version