Site icon ଆଜିକାଲି

ଏପ୍ରିଲ ୪ରୁ ବ୍ରହ୍ମପୁରର ମା’ ବୁଢ଼ି ଠାକୁରାଣୀ ଯାତ୍ରା

ବ୍ରହ୍ମପୁର: ଏପ୍ରିଲ ମାସ ୪ ତାରିଖ ମଙ୍ଗଳବାର ରାତ୍ରରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ି ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା। ଏଥର ଯାତ୍ରା ୨୮ ଦିନ ଧରି ଆୟୋଜିତ ହେବ। ମେ ପହିଲା ସୋମବାର ରାତିରେ ଯାତ୍ରା ସମାପନ ସହ ଦେବୀ ବାପା ଘର ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ପୀଠରୁ ନିଜସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଶୁକ୍ରବାର ରାତିରେ ଶୁଭଖୁଣ୍ଟି ସ୍ଥାପନ ସହ ଯାତ୍ରା ସହ ଜଡ଼ିତ ପୂଜକ ବା ସିଦ୍ଧାନ୍ତି ଏହି ଘୋଷଣା କରିଛନ୍ତି।

ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଶୁକ୍ରବାର ପୂର୍ବାହ୍ନରେ ଧେଣ୍ଡୁରା ବାଦ୍ୟ ସହ ସ୍ଥାନୀୟ ଅଞ୍ଚଳରେ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନେଇ ଘୋଷଣା କରାଯାଇଥିଲା। ଦେଶୀବେହେରା ସାହିରୁ ଧେଣ୍ଡୁରା ବାଦ୍ୟ ବଜାଇ ଅଞ୍ଚଳବାସୀଙ୍କୁ ଯାତ୍ରା ପାଇଁ ସୂଚନା ଦିଆଯାଇ ଥିଲା। ଏହାପରେ ଆଗା ସାହିରୁ ପୃଷ୍ଟି ପରିବାର ବାହାରି ବାଉରୀ ସାହିରେ ପହଞ୍ଚିବା ପରେ ସ୍ବର୍ଗତ ଲଡୁ ଦାସଙ୍କ ପରିବାର ଠାରୁ ଶୁଭଖୁଣ୍ଟି ଗ୍ରହଣ କରିଥିଲେ ନୀଳମଣି ପୃଷ୍ଟି। ୯ ଫୁଟ ଉଚ୍ଚ ଏହି ଶୁଭଖୁଣ୍ଟିରେ ୭ଗୋଟି ଗଣ୍ଠି ରହିଛି। ପୁଷ୍ଟିଙ୍କ ଘର ଈଷ୍ଟଙ୍କ ସମ୍ମୁଖରେ ରଖି ବିଧିବଦ୍ଧ ସ୍ନାନ ଓ ପୂଜା କରାଯାଇଥିଲା।‌ ରାତି ପ୍ରାୟ ସାଢେ ୯ଟାରେ ସେ ଶୁଭଖୁଣ୍ଟି ନେଇ ଦେଶୀବେହେରା ସାହିରେ ପହଞ୍ଚି ଥିଲେ। ଦେଶୀବେହେରାଙ୍କ ଘରେ ଶୁଭଖୁଣ୍ଟି ପୂଜାର୍ଚ୍ଚନା ପରେ ସଭା ବସି ଭଦ୍ରବ୍ୟକ୍ତିଙ୍କ ଗହଣରେ ସିଦ୍ଧାନ୍ତି ଯାତ୍ରା ତାରିଖ ଘୋଷଣା କରିଥିଲେ।

Exit mobile version