Site icon ଆଜିକାଲି

ଆଜିଠୁ ହୀରାକୁଦ ଜାତୀୟ ମହୋତ୍ସବ, ସାମିଲ ହେଉଛନ୍ତି ୮ ରାଜ୍ୟର କଳାକାର

ସମ୍ବଲପୁର : ଆଜି ସନ୍ଧ୍ୟାରୁ ଆରମ୍ଭ ହେଉଛି ହୀରାକୁଦ ଜାତୀୟ ମହୋତ୍ସବ। ଓଡିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ପ୍ରଥମ କରି ପଶ୍ଚିମ ଓଡ଼ିଶାରେ ଜାତୀୟସ୍ତରର ମହୋତ୍ସବ ଆୟୋଜନ ହେଉଛି। ଏଥିରେ ଓଡିଶା ସମେତ ଦେଶର ୮ଟି ରାଜ୍ୟର ଲୋକନୃତ୍ଯ ଓ ଶାସ୍ତ୍ରୀୟ ଲୋକନୃତ୍ୟୁ ଦଳ ସାମିଲ ହେଉଛନ୍ତି। ଦେଶର ବହୁ ପ୍ରତିଷ୍ଠିତ କଳାକାରଙ୍କ ଏଠାରେ ସମାଗମ ଦେଖିବାକୁ ମିଳିବ। ଏନେଇ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅନନ୍ୟା ଦାସ, ଓଡିଶା ସଂଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ ରଥ ଏବଂ ସମ୍ବଲପୁର ମହାନଗର ନିଗମର କମିଶନର ପ୍ରଦୀପ ସାହୁ କାର୍ଯ୍ୟକ୍ରମ ନେଇ ବିଷଦ ସୂଚନା ଦେଇଥିଲେ।

ତିନିଦିନ ଧରି ସନ୍ଧ୍ୟା ୭ଟାରୁ ୯ଟା ୩୦ ମିନିଟ ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ଆଜି ପ୍ରଥମ ସନ୍ଧ୍ୟାରେ କୋଲକାତାର ଶର୍ମିଲା ବିଶ୍ବାସ ଓ ତାଙ୍କ ଗ୍ରୁପର ଓଡିଶୀ ନୃତ୍ୟ, ଚେନ୍ନାଇର ରମା ବୈଦ୍ୟନାଥନ ଓ ଦଳର ଭାରତନାଟ୍ୟମ ନୃତ୍ୟ, ସମ୍ବଲପୁରର ରଞ୍ଜନ ସାହୁ ଓ ତାଙ୍କ ଦଳର ସମ୍ବଲପୁରୀ ଲୋକନୃତ୍ଯ ସଂଗୀତ, ନୂଆଦିଲ୍ଲୀର ଅନୁପ ରଞ୍ଜନ ପାଣ୍ଡେ ଓ ସାଥୀଙ୍କ ବସ୍ତର ବ୍ୟାଣ୍ଡ ଏବଂ ରାୟଗଡାର ଜେ ସୁକାନ୍ତ ଓ ସାଥୀଙ୍କ ଲୋକନୃତ୍ଯ ପରିବେଷଣ କରାଯିବ। ସେହିପରି ଆସନ୍ତାକାଲି ଏବଂ ରବିବାରରେ ମଧ୍ଯ ଦେଶର ନାମକରା କଳାକାରଙ୍କ ଦ୍ବାରା ଉଭୟ ଶାସ୍ତ୍ରୀୟ ଓ ଲୋକନୃତ୍ଯ ପରିବେଷଣ କରାଯିବ।

Exit mobile version