Site icon ଆଜିକାଲି

ଆଜିଠାରୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁର : ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । ମା’ର ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ରେଶମ ନଗରୀ । ଦେଶୀବେହେରା ସାହିରେ ପ୍ରସ୍ତୁତ ହୋଇଛି ଅସ୍ଥାୟୀ ମଣ୍ଡପ। ଆଜି ରାତିରେ ମା’ ମୁଖ୍ୟ ମନ୍ଦିରରୁ ବାହାରି ବାପଘର ଅଭିମୁଖେ ଯାତ୍ରା କରିବେ । ଦେଶୀ ବେହେରା ସାହିରେ ଅସ୍ଥାୟୀ ମଣ୍ଡପରେ ସମସ୍ତଙ୍କୁ ଦର୍ଶନ ଦେବେ ମା’ । ସେହି ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା। ଆଜି ମଧ୍ୟରାତ୍ରିରେ ମା’ ସାଆନ୍ତାଣୀ ବାପଘରକୁ ଆସିବାକୁ ଥିବାବେଳେ କେଉଁ ରାସ୍ତା ଦେଇ ସେ ନିଜ ମନ୍ଦିରରୁ ଅସ୍ଥାୟୀ ମଣ୍ଡପକୁ ଆସିବେ ସେନେଇ ନକ୍ସା ପ୍ରସ୍ତୁତ ହୋଇଛି। ଯେଉଁ ରାସ୍ତା ଦେଇ ଦେଶୀବେହେରା, ଶ୍ରଦ୍ଧାଳୁ, ସହରବାସୀ ଶୋଭାଯାତ୍ରାରେ ମା’ଙ୍କୁ ନିମନ୍ତ୍ରଣ ପାଇଁ ଯିବେ ମା’ ସେହି ରାସ୍ତା ଦେଇ ଅସ୍ଥାୟୀ ମଣ୍ଡପକୁ ଆଗମନ କରିବେ ବୋଲି ଯାତ୍ରାର ମୁଖ୍ୟ ପରିଚାଳକ ପି. ଦୁର୍ଗାପ୍ରସାଦ ଦେଶୀବେହେରା କହିଛନ୍ତି।

ଦେଶୀବେହେରା ବାଜା ବାଜଣା, ପରଭା, ଶଙ୍ଖ, ଭେରିତୂରୀ ସହ ପଟୁଆରରେ ବାହାରି ନଡ଼ିଆ ଗୁର୍ଜି, ଖାସ୍‌‌ପା ସାହି, ପୁଡ଼ି ପେଦାଭାରୀ ସାହି ଓ ଖରୋଡା ସାହି ଦେଇ ବୁଢ଼ୀ ଠାକୁରାଣୀ ମନ୍ଦିର ଯିବେ। ସେଠାରେ ମା’ଙ୍କ ନୀତିକାନ୍ତି ସମ୍ପନ୍ନ ହେବ। ଦେଶୀବେହେରା ଦମ୍ପତି ମା’ଙ୍କୁ ଯାତ୍ରା ପାଇଁ ନିମନ୍ତ୍ରଣ କରିବେ। ବୁଢ଼ୀ ଠାକୁରାଣୀଙ୍କ ନିକଟରେ ଅଧିଆ ପଡ଼ିବେ। ମା’ଙ୍କ ଆଜ୍ଞାମାଳ ମିଳିବା ପରେ ସମ୍ମିଳିତ ଶ୍ରଦ୍ଧାଳୁ ବିରାଟ ପଟୁଆରରେ ସେହି ରାସ୍ତା ଦେଇ ପୁଣି ଦେଶୀବେହେରା ସାହି ଆସିବେ। ମଙ୍ଗଳବାର ମଧ୍ୟରାତ୍ରରେ ମା’ ଆସିବାକୁ ଥିଲେ ହେଁ ବୁଧବାର ସକାଳେ ହିଁ ଯାତ୍ରା ଆରମ୍ଭ ହେଲା ବୋଲି ଧରାଯିବ। ମା’ଙ୍କ ଯାତ୍ରା ଏ ବର୍ଷ ୨୮ ଦିନ ଧରି ଚାଲିବ ।

Exit mobile version