Site icon ଆଜିକାଲି

ଆଜି ଶ୍ରୀମନ୍ଦିରରେ ପାଳନ ହେବେ ଗହ୍ମା ପୂର୍ଣ୍ଣମୀ, ବଳଭଦ୍ର-ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

ପୁରୀ : ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏନେଇ ଚଳଚଞ୍ଚଳ ହୋଇ ପଡି଼ଛି ଶ୍ରୀକ୍ଷେତ୍ର । କାହିଁକିନା ଆଜି ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଜି ଜନ୍ମୋତ୍ସବ ମଧ୍ୟ ପାଳନ ହେଉଛି। ଏନେଇ ମାର୍କଣ୍ଡେଶ୍ବର ପୁଷ୍କରିଣୀର ଜନ୍ମବେଦିରେ ତାଙ୍କର ମାଟି ତିଆରି ଶିଶୁ ମୂର୍ତ୍ତି ନିର୍ମାଣ କରାଯାଇ ସ୍ବତନ୍ତ୍ର ବିଧିରେ ଜନ୍ମୋତ୍ସବ ପାଳିତ ହୋଇଥାଏ । ଶ୍ରୀବଳଭଦ୍ରଙ୍କୁ କୃଷିର ଦେବତା ବୋଲି ମଧ୍ୟ କୁହାଯାଏ । ତାଙ୍କର ଗୋଟିଏ ଆୟୁଧ ହଳ ବା ଲଙ୍ଗଳ ଅଟେ। ମୁକ୍ତିମଣ୍ଡପ ପଣ୍ଡିତ ସଭାର ପରାମର୍ଶ ଏବଂ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ଆଜି( ଅଗଷ୍ଟ ୩୧) ରେ ଶ୍ରୀମନ୍ଦିରରେ ପବିତ୍ର ଗହ୍ମା ପୂର୍ଣମୀ ଓ ବଳଭଦ୍ର ଜନ୍ମ ଉତ୍ସବ ପାଳନ କରାଯିବ ବୋଲି ସ୍ଥିର ହୋଇଛି। ଏହି ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ବଡ଼ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଉଉଣୀ ଦେବୀ ସୁଭଦ୍ରା । ଏନେଇ ମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବଲଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ରଙ୍ଗର ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ ହୋଇଛି। ବେଶ ନିଷ୍ଠାର ସହ ରାକ୍ଷୀ ପ୍ରସ୍ତୁତି କରିଛନ୍ତି କାରିଗର । ରାକ୍ଷୀ ସହ ମହାପ୍ରଭୁଙ୍କ ଲାଗି ତିଆରି ହୋଇଛି ଗୁଆମାଳ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରାୟ ୫୪ଟି ଗୁଆରେ ପ୍ରସ୍ତୁତ ଏହି ଗୁଳମାଳର ମଧ୍ଯ ରକ୍ଷାବନ୍ଧନ ଅବସରରେ ରହିଛି ସ୍ବତନ୍ତ୍ର ପରମ୍ପରା । ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ଯ ରାକ୍ଷୀ ପ୍ରସ୍ତୁତି କରିଛନ୍ତି ପାଟେରା ବିଷୋୟୀ ସେବାୟତ । ସିଂହାରୀ ସେବାୟତ ମାନେ ଏହାକୁ ମହାପ୍ରଭୁଙ୍କ ବାହୁରେ ଲାଗି କରିଥାଆନ୍ତି । ପ୍ରକାଶ ଥାଉ କି, ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣିମା ସହ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ମଧ୍ୟାହ୍ନ ଧୂପରେ ଏହି ନୀତି ସମ୍ପନ୍ନ ହେବ। ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଏ। ଏବଂ ତାଙ୍କୁ ମଧ୍ୟ ରାକ୍ଷୀ ବନ୍ଧା ଯାଏ।

Exit mobile version