Site icon ଆଜିକାଲି

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାସ୍ତରୀୟ କର୍ମଶାଳା

ଛତ୍ରପୁର: ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ପ୍ରବାହ ବେଶ୍ ଅଧିକ ରହିବ। ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ରୌଦ୍ରତାପର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଗଞ୍ଜାମ ଜିଲ୍ଲାସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳ ଦିନାହ ଦସ୍ତାଗିର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆୟୁଷି ପତି, ବିଡିଓ, ତହସିଲଦାର, ସ୍ବାସ୍ଥ୍ୟ- ଶିକ୍ଷା- ଅଗ୍ନି ଆଦି ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀ ମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମପ୍ରବାହ ପରିଚାଳନା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରିଥିଲେ।

ଜଳାଭାବ ଅଞ୍ଚଳ ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ମନୁଷ୍ୟ ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବା ସହିତ ଗୃହପାଳିତ ପଶୁ ଏବଂ ଚାଷବାସ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ, ଅଂଶୁଘାତରେ ଜୀବନହାନୀ ମଧ୍ୟ ହୋଇଥାଏ। ତେଣୁ ଏହାର ସଠିକ ମୁକାବିଲା ଏବଂ ଅଂଶୁଘାତରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ବୁଝାଯାଇଥିଲା। ଏସମ୍ପର୍କରେ ସମଗ୍ର ଜିଲ୍ଲାରେ ଯଥେଷ୍ଟ ସଚେତନତା ସୃଷ୍ଟି କରିବାକୁ ଓ ଏଥିପାଇଁ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା I ଗ୍ରୀଷ୍ମପ୍ରବାହ ମୁକାବିଲା ସମ୍ପର୍କରେ ସୂଚନା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ‘ସତର୍କ’ ମୋବାଇଲ୍ ଆପ୍ ସମ୍ବନ୍ଧରେ କିଭଳି ଅଧିକରୁ ଅଧିକ ଲୋକ ଜାଣିପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିପିଏଚ୍ଓ ଗ୍ରୀଷ୍ମପ୍ରବାହଜନିତ ମାନସିକ ଓ ଶାରୀରିକ ଚାପ ପରିଚାଳନା ଉପରେ ତଥ୍ୟଭିତ୍ତିକ ରିପୋର୍ଟ ଉପସ୍ଥାପନା କରିଥିଲେ। ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ।

Exit mobile version