Site icon ଆଜିକାଲି

‘ପ୍ରଥମେ ରାଏବରେଲିରୁ ଜିତ’, ରାହୁଲଙ୍କୁ ରୁଷୀୟ ଚେସ୍ କିମ୍ବଦନ୍ତୀ ଗ୍ୟାରି କାସପରୋଭଙ୍କ କଟାକ୍ଷ

ନୂଆଦିଲ୍ଲୀ: ରାଏବରେଲିରୁ ନିର୍ବାଚନ ଲଢ଼ିବାକୁ ରାହୁଲ ଗାନ୍ଧୀଙ୍କ ଘୋଷଣା ପରେ ସବୁଆଡୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଆମେଥି ବଦଳରେ ରାଏବରେଲିରୁ ଲଢ଼ିବା ନେଇ ରାହୁଲଙ୍କୁ କଟାକ୍ଷ କରିଛି ବିଜେପି । ରାହୁଲ ପରାଜୟ ଭୟରେ ଆମେଥିରୁ ଲଢ଼ୁ ନାହାଁନ୍ତି ବୋଲି କହିଛି ବିଜେପି । ଏବେ ରୁଷୀୟ ଚେସ୍ କିମ୍ବଦନ୍ତୀ ଗ୍ୟାରି କାସପରୋଭ ମଧ୍ୟ ରାହୁଲଙ୍କୁ ତାତ୍ସଲ୍ୟ କରିଛନ୍ତିି । ଚେସ୍‌ ଖେଳ‌ ପ୍ରତି ରାହୁଲଙ୍କ ଦୁର୍ବଳତା ସମ୍ପର୍କରେ ପ୍ରତିକ୍ରିୟା ଦେଇ‌ କାସପରୋଭ କହିଛନ୍ତି, “ଶୀର୍ଷ ସ୍ତରରେ ଚ୍ୟାଲେଞ୍ଜ କରିବା ପୂର୍ବରୁ ରାହୁଲ ପ୍ରଥମେ ରାଏବରେଲିରେ ଜିତନ୍ତୁ।”

୬୧ ବର୍ଷୀୟ କାସପରୋଭ ୨୦୦୫ରେ ପ୍ରତିଯୋଗିତାମୂଳକ ଚେସରୁ ଅବସର ନେଇଥିଲେ। ସେ ‘ଏକ୍ସ’ ରେ ଜଣେ ୟୁଜରଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତିି। ନିକଟରେ କଂଗ୍ରେସ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିଡ଼ିଓ ପୋଷ୍ଟ କରିଥିଲା । ଏଥିରେ ରାହୁଲ ମୋବାଇଲ୍ ଫୋନରେ ଚେସ୍ ଖେଳୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ରାହୁଲ କହିଥିଲେ ଯେ କାସପାରୋଭ ତାଙ୍କର ପ୍ରିୟ ଚେସ୍ ଖେଳାଳି । କ୍ରୀଡ଼ା ଏବଂ ରାଜନୀତି ମଧ୍ୟରେ ସମାନତା ରହିଛି କହି ରାଜନେତାଙ୍କ ମଧ୍ୟରେ ସେ ନିଜକୁ ଶ୍ରେଷ୍ଠ ଚେସ୍ ଖେଳାଳି ରୂପେ ଅଭିହିତ କରିଥିଲେ‌ ରାହୁଲ।

ରାହୁଲଙ୍କ ଏହି ଭିଡ଼ିଓ ଉପରେ ‘ଏକ୍ସ’ର ଜଣେ ୟୁଜର କଟାକ୍ଷ କରି ଲେଖିଥିଲେ, ଆଶ୍ବସ୍ତିର ବିଷୟ ଯେ କାସପରୋଭ ଓ ବିଶ୍ୱନାଥ ଆନନ୍ଦ ଚେସ୍ ଖେଳରୁ ଶୀଘ୍ର ବିଦାୟ ନେଇଇଛନ୍ତି । ନଚେତ୍ ସେମାନଙ୍କୁ ଆମ ସମୟର ସବୁଠୁ ବଡ଼ ଚେସ୍ ଖେଳାଳିଙ୍କୁ ସାମ୍ନା କରିବାକୁ ପଡ଼ିଥାନ୍ତା । ଏହାର ପ୍ରତିକ୍ରିୟାରେ କାସପରୋଭ କହିଥିଲେ, “ଶୀର୍ଷ ସ୍ତରକୁ ଚ୍ୟାଲେଞ୍ଜ କରିବା ପୂର୍ବରୁ ଆପଣ (ରାହୁଲ) ପ୍ରଥମେ ରାଏବରେଲିରୁ ଜିତିବାକୁ ପଡ଼ିବ।”

ଗ୍ୟାରି କାସପରୋଭ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ବଡ଼ ସମାଲୋଚକ। ସେ ସମ୍ପ୍ରତି ନିଜ ଦେଶ ବାହାରେ କ୍ରୋଏସିଆରେ ରହୁଛନ୍ତି | କାସପରୋଭ ଥରେ ବିଶ୍ୱ ନମ୍ବର-୧ ଖେଳାଳି ହେବା ସହ ୧୯୮୫ ମସିହାରେ ୨୨ ବର୍ଷ ବୟସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିଅନ୍ ହୋଇଥିଲେ। ବର୍ତ୍ତମାନ ସେ ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ।

Exit mobile version