Site icon ଆଜିକାଲି

ବାଲେଶ୍ୱରରେ ସାଧାରଣ ନିର୍ବାଚନ ୨୦୨୪ ଉତ୍ତମ ପରିଚାଳନା ପାଇଁ ସାମ୍ବାଦିକ ସମ୍ମିଳନୀ

ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀ କଲେ ଜିଲ୍ଲାପାଳ ଏବଂ ଏସପି

ବାଲେଶ୍ୱର : ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ୨୦୨୪ କୁ ସୂଚାରୁ ରୂପେ ଆୟୋଯନ କରି ଏହାର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନ ସଂକ୍ରାନ୍ତରେ ବାଲେଶ୍ୱର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଠାକରେସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ବାଲେଶ୍ୱରରେ ୭ମ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ। ଜିଲ୍ଲାରେ ୭ମ ପର୍ଯ୍ୟାୟ ପାଇଁ ଗେଜେଟ୍ ବିଜ୍ଞପ୍ତି ୭ ମଇ ୨୦୨୪ରେ ପ୍ରକାଶ ପାଇବାକୁ ଥିବା ବେଳେ, ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୧୪ ମଇ ରଖା ଯାଇଛି। ୧୭ ମଇ ସୁଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବା ବେଳେ ୧ ଜୁନ ଦିନ ମତଦାନ ଏବଂ ୪ ଜୁନ ଦିନ ଭୋଟ ଗଣତି ହେବାର କାର୍ଯ୍ୟକ୍ରମ ରହିଛି। ଏହି ସନ୍ଦର୍ଭରେ ଜିଲ୍ଲାପାଳ ଜିଲ୍ଲା ସ୍ତରରେ ଖର୍ଚ୍ଚ ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ ମିଡିଆ ସାର୍ଟିଫିକେଟ୍ ଏବଂ ମନିଟରିଂ କମିଟି, ନିର୍ବାଚନ ପରିଚାଳନାରେ ବ୍ୟବହୃତ ନାଗରିକ / ପ୍ରାର୍ଥୀ କେନ୍ଦ୍ରିକ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗଗୁଡ଼ିକ ଯଥା ସି-ଭିଜିଲ ଆପ, ସୁବିଧା ପୋର୍ଟାଲ, ପ୍ରାର୍ଥୀ ଆଫିଡେଭିଟ୍ ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ, ଭୋଟର ହେଲ୍ପଲାଇନ ଏବଂ ସକ୍ଷମ ଆପ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ।

ଜିଲ୍ଲା ନିର୍ବାଚନ ପରିପ୍ରେକ୍ଷୀରେ ଅଧିକ ସୂଚନା ଦେବାକୁ ଯାଇ ଶ୍ରୀ ଠାକରେ କହିଥିଲେ, ଯେ ଜିଲ୍ଲାରେ ମତଦାତା ସଂଖ୍ୟା ୧୮,୭୮,୨୩୪ ଥିବା ବେଳେ ପୁରୁଷ- ୯୫୬୧୯୪, ମହିଳା- ୯୨୧୮୯୬ । ସେହିପରି ଭାବରେ ଜିଲ୍ଲାରେ ୮ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ନିୟୋଜିତ ହୋଇଛନ୍ତି। ଜିଲ୍ଲାରେ ୨୮ଟି ଅଗଜୀଲାରୀ ବୁଥ ସମେତ ୧୯୨୬ ଟି ବୁଥରେ ମତଦାନ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଏହା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ ଗଣମାଧ୍ୟମକୁ ବାର୍ତ୍ତା ଦେଇ କହିଥିଲେଯେ ଏହି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ତା କଡାକଡି କରା ଯାଇଛି। କୈଣସି ପ୍ରକାର ଦ୍ବନ୍ଦ୍ବ, ହିଂସା ଏବଂ ଅସାମାଜିକ କାର୍ଯ୍ୟର ପୁଙ୍ଖନୂପୁଙ୍କ ତଦନ୍ତ କରା ଯିବାପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି I ତତ୍ସହିତ କିଭଳି ଠିକ ସମୟରେ ଏବଂ ଠିକ ଉପାୟରେ ନିର୍ବାଚନ କରିହେବ ସେଥି ପ୍ରତି ପୋଲିସ ପ୍ରଶାସନ ସର୍ବଦା ଜାଗ୍ରତ ରହିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଓ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Exit mobile version