Site icon ଆଜିକାଲି

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ନେଇ ବିଦେଶରେ ଚର୍ଚ୍ଚା, ଆମେରିକା ପରେ ଜର୍ମାନୀର ଆସିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭାରୁ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କେବଳ ଭାରତରେ ନୁହେଁ ବିଦେଶରେ ବି ଚର୍ଚ୍ଚାର ବିଷୟ ହୋଇଛି । ଆମେରିକା ପରେ ଏହି ପ୍ରସଙ୍ଗରେ ଏବେ ଜର୍ମାନୀ ମଧ୍ୟ ପ୍ରତିକ୍ରିୟା ରଖିଛି। ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ମାମଲାରେ ନ୍ୟାୟିକ ସ୍ବାଧୀନତା ଏବଂ ମୌଳିକ ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରୟୋଗ କରାଯିବା ଉଚିତ।

ରାହୁଲ ଗାନ୍ଧୀ ମାମଲାରେ କୌଣସି ୟୁରୋପୀୟ ଦେଶର ଏହା ହେଉଛି ପ୍ରଥମ ପ୍ରତିକ୍ରିୟା | ଏହାପୂର୍ବରୁ ଆମେରିକା ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଥିଲା।

ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ରାହୁଲ ଗାନ୍ଧୀ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିପାରନ୍ତି। ଏହା ପରେ ତାଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ଠିକ୍ ଥିଲା କି ନାହିଁ ତାହା ସ୍ପଷ୍ଟ ହେବ।

ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତିି, ଆମେ ଆଶା କରୁଛୁ ଯେ ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ନ୍ୟାୟିକ ସ୍ବାଧୀନତା ଏବଂ ମୌଳିକ ଗଣତାନ୍ତ୍ରିକ ସିଦ୍ଧାନ୍ତ ଲାଗୁ କରାଯିବ।

ଜର୍ମାନୀ ପୂର୍ବରୁ ଆମେରିକା ସରକାର ମଧ୍ୟ ରାହୁଲ ଗାନ୍ଧୀ ମାମଲାରେ ନିଜ ମତ ରଖିଥିଲା । ଆମେରିକାର ବୈଦେଶିକ ବିଭାଗର ଉପ ମୁଖପାତ୍ର ବେଦାନ୍ତ ପଟେଲ କହିଥିଲେ, ରାହୁଲ ଗାନ୍ଧୀ ମାମଲା ଉପରେ ଆମେ ନଜର ରଖିଛୁ। ଏହି ପ୍ରସଙ୍ଗରେ ଆମେ ଭାରତ ସରକାରଙ୍କ ସହ ମଧ୍ୟ ଯୋଗାଯୋଗରେ ଅଛୁ।

ଏକ ମାନହାନୀ ମାମଲାରେ‌ ଗୁଜରାଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଦିନକ ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ରଦ୍ଦ ହୋଇଥିଲା । ୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ‌ ଜନସଭାରେ ରାହୁଲ ଗାନ୍ଧୀ ‘ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କାହିଁକି ରହିଛି’ ବୋଲି କହିଥିଲେ । ସେ ଅର୍ଥନୈତିକ ଅପରାଧୀ ଓ ପଳାତକ ଘୋଷିତ ନିରବ ମୋଦୀ ଓ ଲଳିତ ମୋଦୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୁଳନା କରିଥିଲେ।

ରାହୁଲ ଗାନ୍ଧୀଙ୍କ ଏପରି ବୟାନ ନେଇ ସୁରଟ ଓ୍ବେଷ୍ଟର ପୂର୍ବତନ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏହି କଂଗ୍ରେସ ନେତାଙ୍କ ବିରୋଧରେ ଫୌଜଦାରୀ ମାନହାନି ମାମଲା ଦାୟର କରିଥିଲେ । ରାହୁଲଙ୍କ ବୟାନ ସମଗ୍ର ମୋଦୀ ସମୁଦାୟକୁ ଆଘାତ ଦେଇଛି ବୋଲି ସେ ତାଙ୍କ ଅଭିଯୋଗରେ କହିଥିଲେ ।

Exit mobile version