Site icon ଆଜିକାଲି

କନ୍ୟା ଯାତ୍ରୀ ଗାଡ଼ି ଓଲଟିଲା: ଜଣେ ମୃତ, ୧୫ ଆହତ

ଛତ୍ରପୁର: କନ୍ୟାକୁ ଶାଶୂ ଘରେ ଛାଡି ଫେରୁଥିବା ବେଳେ କନ୍ୟା ଯାତ୍ରୀ ଗାଡ଼ି ଓଲଟି ଜଣେ ନାବାଳକ ପ୍ରଭାତ ପ୍ରଧାନ (୧୭)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହସଖୁସିର ପରିବେଶ କିଛି ସମୟ ମଧ୍ୟରେ କାନ୍ଦବୋବାଳିର ଶୋକଭରା ସ୍ଥିତିରେ ବଦଳି ଯାଇଛି। ଗୁରୁବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ- ବେଗୁନିଆପଡ଼ା ନିକଟ କେ.ବରିଡା ଠାରେ ଏହି ଅଘଟଣ ଘଟିଯାଇଛି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ତାଳବୋରେଇ ଗ୍ରାମର ୨୫ରୁ ଅଧିକ ଯୁବକ ଏକ ଗାଡ଼ିରେ ସଦ୍ୟ ବିବାହିତ ଜଣେ କନ୍ୟାକୁ ତାର ଶାଶୂଘର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ତାଳପଡା ଗ୍ରାମକୁ ବୁଧବାର ରାତିରେ ଛାଡ଼ିଥିଲେ। ସେଠାରେ ଭୋଜି ଖାଇ ଗାଁକୁ ଫେରୁଥିବା ବେଳେ ଗୁରୁବାର ଭୋରରେ କେ.ବରିଡା ଗ୍ରାମ ନିକଟରେ ହଠାତ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡିଥିଲା। ଫଳରେ ସମସ୍ତ ଯାତ୍ରୀ ଗୁରୁତର ବା ଆହତ ହୋଇଥିଲେ। ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଖଲ୍ଲିକୋଟ ଡାକ୍ତରଖାନାରେ ପ୍ରଭାତଙ୍କ ଡାକ୍ତର ମୃତ ଘୋଷଣା କରିଥିଲେ। ବେଗୁନିଆପଡ଼ା ଥାନା ପୋଲିସ ଦୁର୍ଘଟଣାସ୍ଥଳରୁ ଗାଡ଼ି ଜବତ କରିଛି।

Exit mobile version