Site icon ଆଜିକାଲି

ମହାଜାଗତିକ ଘଟଣା : ଆଜି ଦେଖିବାକୁ ମିଳିବ ବର୍ଷର ସବୁଠାରୁ ଛୋଟ ଦିନ ଓ ବଡ଼ ରାତି

ଭୁବନେଶ୍ୱର : ଆଜି ଦେଖିବାକୁ ମିଳିବ ମହାଜାଗତିକ ଘଟଣା । ଗୁରୁବାର ଦେଖିବାକୁ ମିଳିବ ବର୍ଷର ସବୁଠାରୁ ଛୋଟ ଦିନ ଓ ବଡ଼ ରାତି । ପୃଥିବୀ ସୂର୍ଯ୍ୟ ଚାରିପଟେ ୨୩.୫ ଡିଗ୍ରୀ ଢଳି ଏକ ଅଣ୍ଡାକୃତି ପଥରେ ପରିକ୍ରମା କରେ । ଯାହାଫଳରେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ରେ ଏହି ଘଟଣା ଦେଖିବାକୁ ମିଳେ ।

ପଠାଣି ସାମନ୍ତ ପ୍ଲାନେଟୋରିୟମର ଇଞ୍ଜିନିୟର ଏବଂ ଡେପୁଟି ଡାଇରେକ୍ଟର ଡ. ଜୟଦେବ କରଙ୍କ କହିବା ଅନୁଯାୟୀ, ଡିସେମ୍ବବର ୨୧ ରେ ଭୁବନେଶ୍ୱର ଏବଂ ପୁରୀରେ ଦିନର ଅବଧି ୧୦ ଘଣ୍ଟା ୫୫ ମିନିଟ ୪୦ ସେକେଣ୍ଡ ଏବଂ ରାତିର ଅବଧି ୧୩ ଘଣ୍ଟା ୪ ମିନିଟ ୨୦ ସେକେଣ୍ଡ ରହିବ । ଠିକ୍‌ ସେହିପରି ଓଡ଼ିଶାର ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଅବଧି ଯଥାକ୍ରମେ ୧୦ ଘଣ୍ଟା ୪୬ ମିନିଟ ଏବଂ ୧୧ଘଣ୍ଟା ୧ ମିନିଟ ୫୦ ସେକେଣ୍ଡ ରହିବ । ଡିସେମ୍ବର ୨୧ ପରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ । ଫଳରେ ଦିନ ଧୀରେ ଧୀରେ ବଢେ । ଏହା ଏକ ବାର୍ଷିକ ଗତି । ମାର୍ଚ୍ଚ ୨୧ ଏବଂ ସେପ୍ଟେମ୍ବର ୨୩ ସୂର୍ଯ୍ୟ ବିଷୁବ ରେଖାରେ ରୁହନ୍ତି ଫଳରେ ଦିନ ଓ ରାତିର ସମୟ ସମାନ ଅର୍ଥାତ୍‌ ୧୨ ଘଣ୍ଟା ଲେଖାଏଁ ରହିବ ।

ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁ ଆରମ୍ଭ ହେବା ସହିତ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥାଏ । ଏହି ଦିନଟି ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଛୋଟ ଦିନ ହୋଇଥାଏ । ଧୀରେ ଧୀରେ ଦିନର ଅବଧି ଅଧିକରୁ ଅଧିକ ଲମ୍ବା ହୁଏ । ମାର୍ଚ୍ଚ ମାସ ବସନ୍ତର ଆଗମନକୁ ସୂଚାଇଥାଏ । ସେତେବେଳେ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ । ସେହିଭଳି ମେରୁ ଅଞ୍ଚଳ ନିକଟବର୍ତ୍ତୀ ସ୍ଥାନଗୁଡିକରେ ଦିନର ଅବଧିରେ ବଡ଼ ପାର୍ଥକ୍ୟ ଅନୁଭୂତ ହୋଇଥାଏ ।

Exit mobile version