Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜିଏମ୍ ଅଡିଟୋରିଅମ୍ ଉଦଘାଟିତ

ସମ୍ବଲପୁର : ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବହୁ ପ୍ରତୀକ୍ଷିତ ଅଡିଟୋରିୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି। ଏହାଦ୍ୱାରା ସାକାର ହୋଇଛି ଛାତ୍ରଛାତ୍ରୀଙ୍କ ସ୍ବପ୍ନ। ଜିଏମ ବିଶ୍ବବିଦ୍ୟାଳୟ ପରିସରରେ ୧୩ କୋଟି ୪୧ ଲକ୍ଷ ୯୩ ହଜାର ଟଙ୍କାର ବ୍ୟୟ ଅଟକଳରେ ନବନିର୍ମିତ ସମ୍ବଲପୁରର ସର୍ବବୃହତ ଅଡିଟୋରିଅମର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଛନ୍ତି। ଦୀର୍ଘ ୫ ବର୍ଷର ନିର୍ମାଣ ପରେ ଏହି ବିଶାଳ ଅଡିଟୋରିଅମର ଲୋକାର୍ପଣକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସାରା ସମ୍ବଲପୁରବାସୀଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଛି।

ପଶ୍ଚିମ ଓଡିଶା ବିକାଶ ପରିଷଦର ତତ୍କାଳୀନ ଅଧ୍ୟକ୍ଷ ସ୍ବର୍ଗତ କିଶୋର ମହାନ୍ତି ଗତ ୨୦୧୫ ମସିହାରେ ଜିଏମ ବିଶ୍ବବିଦ୍ୟାଳୟର ବାର୍ଷିକ ଉତ୍ସବରେ ସାମିଲ ହୋଇ ଏହି ଅଡିଟୋରିଅମ ନିର୍ମାଣ ସକାଶେ ପ୍ରତିଶ୍ରୁତି ଦେଇଥିଲେ। ଆଉ ଗତ ୨୦୧୮ମସିହାରେ ଏଥିପାଇଁ ସାଢେ ଦଶ କୋଟି ଟଙ୍କାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ଦେଇଥିଲେ। ଏହାପରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ତେବେ, କରୋନା ପାଇଁ ନିର୍ମାଣରେ ବର୍ଷାଧିକ ସମୟ ବିଳମ୍ବ ହୋଇଥିବା ବେଳେ କିଛି ମାସ ତଳୁ ଏହା ସଂପୂର୍ଣ ହୋଇସାରିଛି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଏନ୍ ନାଗାରାଜୁଙ୍କ ସମେତ ଜିଲ୍ଲାପାଳ, ଆରଡିସି ପ୍ରମୁଖ ଯୋଗଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ଅତ୍ୟାଧୁନିକ ଅଡିଟୋରିଅମର କ୍ଷମତା ୧୨ଶହ ସିଟ ଥିବା ବେଳେ ୨୦ହଜାର ୬୧୧ ବର୍ଗ ଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି। ସେହିପରି ୧୫ ହଜାର ବର୍ଗଫୁଟ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ ଏହା ସଂପୂର୍ଣ ସେଣ୍ଟ୍ରାଲ ଏସି ବ୍ୟବସ୍ଥା କରାଯାଇଛି।

Exit mobile version