Site icon ଆଜିକାଲି

ବିଭିନ୍ନ ଅପରାଧରେ ଜଡିତ ଚାରି ଅଭିଯୁକ୍ତଙ୍କୁ ଗିରଫ କଲା ଗୋଳନ୍ଥରା ପୋଲିସ, ବିପୁଳ ମାରଣାସ୍ତ୍ର ସହ ହରିଣ ସିଂଘ ଜବତ

ବ୍ରହ୍ମପୁର – ଜେଲରେ ଥିବା କୁଖ୍ୟାତ ଅପରାଧି କୁନା ବେହେରାର ଘନିଷ୍ଠ ସହଯୋଗୀ ପୂର୍ଣ୍ଣ ଗୌଡ଼ ଓରଫ ଚିଆନ ଓ ତାହାର ତିନି ସହଯୋଗୀଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ । ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଟାମଣା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାରଣାସ୍ତ୍ର ସହ ଗତକାଲି ପୂର୍ଣ୍ଣ ଗୌଡ଼ ଓ ତାହାର ସହଯୋଗୀମାନଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ନିର୍ଭରଯୋଗ୍ୟ ସୂଚନା ମିଳିଥିଲା ।

ବ୍ରହ୍ମପୁର ସଦର ଏସଡିପିଓଙ୍କ ସହ ଗୋଳନ୍ଥରା ପୋଲିସର ଏକ ଟିମ୍ ପୂର୍ଣ୍ଣ ଓରଫ ଚିଆନ ଲୁଚିଥିବା ସ୍ଥାନରେ ଚଢାଉ କରିଥିଲେ । ଅଭିଯୁକ୍ତମାନେ ଜଙ୍ଗଲ ଭିତରକୁ ଲୁଚି ପଳାଇବାକୁ ଚେଷ୍ଟା କଲାବେଳେ ପୋଲିସ ଟିମ ହାତରେ ଧରାପଡିଥିଲେ । ପୂର୍ଣ୍ଣ ଗୌଡ଼ ସହ ଧରାପଡ଼ିଥିବା ଅନ୍ୟ ତିନି ଜଣ ହେଲେ ଶଙ୍କର ପ୍ରଧାନ, ଅଭି ମଲ୍ଲିକ ଓ ବୃନ୍ଦାବନ ମଲ୍ଲିକ । ସେମାନଙ୍କ ନିକଟରୁ ମାରଣାସ୍ତ୍ର, ଦେଶୀ ବନ୍ଧୁକ, ଗୁଳିଗୋଳା ସହ ଦୁଇଟି ହରିଣ ସିଂଘ ଜବତ କରାଯାଇଛି। ପୂର୍ଣ୍ଣ ଓ ଶଙ୍କର ନାଁରେ ଦିଗପହଣ୍ଡି ଓ ଗୋଳନ୍ଥରା ପୋଲିସ ଥାନାରେ ଅନେକ ମାମଲା ରହିଛି। ପୂର୍ଣ୍ଣ ଓରଫ ଚିଆନ୍ ୨୦୨୧ ମସିହାରେ ପୋଲିସ ଟିମକୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲା । ଜବତ ହୋଇଥିବା ଦୁଇ ହରିଣ ସିଂଘ ବନ ବିଭାଗକୁ ହସ୍ତାନ୍ତର କରାଯିବ। ଗିରଫଙ୍କ ବିରୋଧରେ ବନ୍ୟପ୍ରାଣୀ ଅଧିନିୟମ ଅନ୍ତର୍ଗତ ମାମଲା ରୁଜୁ ହେବ ।

Exit mobile version