Site icon ଆଜିକାଲି

ଖୁସି ଖବର ! ଘରୋଇ ଏଲପିଜି ୨୦୦ ଟଙ୍କା କମିଲା

ନୂଆଦିଲ୍ଲୀ: ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଦାମ୍ ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇବାକୁ ଘୋଷଣା କରିଛନ୍ତି। ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଦଳର ଲଗାତାର ଆକ୍ରମଣ ପରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ଆଗକୁ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ମଧ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆଜି ଓନାମ ଏବଂ ରକ୍ଷା ବନ୍ଧନର ଶୁଭ ଅବସରରେ ସମସ୍ତ ଗ୍ରାହକଙ୍କ ପାଇଁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଦେଶର ଭଉଣୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାକ୍ଷୀ ଉପହାର ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଜ୍ଜ୍ବଳା ଯୋଜନା ଅଧୀନରେ ଉପଲବ୍ଧ ସିଲିଣ୍ଡର ଗୁଡ଼ିକ ଏବେ ୪୦୦ ଟଙ୍କା ଶସ୍ତା ହେବ। ବାସ୍ତବରେ ଉଜ୍ଜ୍ବଳା ଯୋଜନା ସଂପର୍କରେ ସରକାର ପୂର୍ବରୁ ୨୦୦ ଟଙ୍କା ସବସିଡି ପ୍ରଦାନ କରୁଛନ୍ତି। ସଦ୍ୟତମ ଘୋଷଣା ପରେ, ଉଜ୍ଜ୍ବଳା ଯୋଜନା ଅନୁଯାୟୀ, ଗ୍ୟାସ ସଂଯୋଗ ଥିବା ଗ୍ରାହକଙ୍କ ପାଇଁ ଗ୍ୟାସ୍ ସିଲିଣ୍ଡର ୪୦୦ ଟଙ୍କା ଶସ୍ତା ହେବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଉଜ୍ଜ୍ବଳା ଗ୍ୟାସ ଯୋଜନା ଅଧୀନରେ ୭୫ ଲକ୍ଷ ନୂତନ ସଂଯୋଗ ବଣ୍ଟନ କରାଯିବ।

Exit mobile version