Site icon ଆଜିକାଲି

ରାଜ୍ୟପାଳଙ୍କ ଅଭିଭାଷଣ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା, ୫-ଟି ଓ ମୋ ସରକାର ଦ୍ୱାରା ପ୍ରାଶାସନିକ ବ୍ୟବସ୍ଥାରେ ନୂଆ ଯୁଗ ଆରମ୍ଭ

ଭୁବନେଶ୍ୱର – ରାଜ୍ୟପାଳଙ୍କ ଅଭିଭାଷଣ ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଭିଭାଷଣରେ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ସଫଳତା ଓ ଯୋଜନାର ସଫଳ କାର୍ଯ୍ୟକାରିତା ସଂପର୍କରେ ଉଲ୍ଲେଖ କରିଛନ୍ତି ରାଜ୍ୟପାଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା କରିଛନ୍ତି ରାଜ୍ୟପାଳ। ୮ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ସୁବିଧା ଦେବ । ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ମଧ୍ୟ ଆରମ୍ଭ ହୋଇଛି ‌ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପ ବି ଲୋକାର୍ପିତ ହୋଇଛି ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି। ‘୫-ଟି’ ଓ ‘ମୋ ସରକାର’ ରୂପାନ୍ତରିତ ପ୍ରାଶାସନିକ ବ୍ୟବସ୍ଥାରେ ନୂଆ ଯୁଗ ଆରମ୍ଭ ହୋଇଛି।

ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହୋଇଛି ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି। ସୁପରଫୁଡ ଭାବେ ମାଣ୍ଡିଆକୁ ଗୁରୁତ୍ୱ ଦିଆଯାଇଛି । ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି । ୧୧୩.୭୬ ରେସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି । କାଳିଆ ସହାୟତା ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ଥାନ ପାଇଛି । ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଥିବା ରାଜ୍ୟପାଳ ଉଲ୍ଲେଖ କରିଛନ୍ତି।

ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଏଥିସହ ରାଜ୍ୟରେ ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ୭୫୦ କୋଟି ଟଙ୍କା ବ୍ୟୟରେ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ ହୋଇଛି।

ଦୁର୍ବଳ ଓ ଅଭାବଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମାଗଣା ମିଳୁଛି । ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମାଗଣା ମିଳୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପରିବାରକୁ ରାଜ୍ୟ ଚାଉଳ ଦେଉଛି । ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି ବୋଲି ରାଜ୍ୟପାଳ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୭.୧୧ ଲକ୍ଷ ଚାଷୀଙ୍କଠାରୁ ୭୯.୧୬ ଲକ୍ଷ ଟନ୍‌ ଧାନ ସଂଗ୍ରହ ହୋଇଛି ।

ରାଜ୍ୟର ପ୍ରତିଶତ ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି । ୨୦୧୪-୧୫ରୁ ଏଯାଏଁ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି ।ସମୟ ପୂର୍ବରୁ ଘର ସାରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ଦିଆଯାଇଛି। ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ‘ମୋ ଘର’ ଯୋଜନା ଆରମ୍ଭ କରାଯାଇଛି ।

ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି । ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳ ବସ୍ତିମୁକ୍ତ ହେବ ନ୍ୟୁୟର୍କ, ଟୋକିଓ, ସିଙ୍ଗାପୁର ଭଳି ଓଡ଼ିଶାରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ଚାଲିଛି ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ରେ ପୁରୀ ଓ ଗୋପାଳପୁର ଯଥାକ୍ରମେ ଦେଶର ପ୍ରଥମ ଓ ଦ୍ୱିତୀୟ ସହର ହୋଇଛନ୍ତି। ୨୪ ସହରାଞ୍ଚଳର ୨୩ ଲକ୍ଷ ବାସିନ୍ଦା ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ସୁବିଧା ପାଉଛନ୍ତି ବୋଲି ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ରାଜ୍ୟପାଳ ରଘୁବର ଦାସ।

Exit mobile version