Site icon ଆଜିକାଲି

ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ ହେବ ଧୂସର ଜଳ ପରିଚାଳନା ପ୍ରକଳ୍ପ

ଛତ୍ରପୁର: ସହରାଞ୍ଚଳର ଆବର୍ଜନା ପାଣି ସିଧାସଳଖ ନଦୀ, ସମୁଦ୍ର କିମ୍ବା ଅନ୍ୟ ଜଳ ଉତ୍ସ ତଥା ଜଳ ସ୍ରୋତ ସହ ମିଶି ତାହାକୁ ଯେପରି ପ୍ରଦୂଷିତ ନକରେ ସେଥିପ୍ରତି ଏଣିକି ନଜର ରଖାଯିବ। ପାଇଖାନା ପାଣି, ଡ୍ରେନ୍ ପାଣିକୁ ଏଣିକି ସିଧା ଅନ୍ୟତ୍ର ନିଷ୍କାସନ କରିବା ବଦଳରେ ତାହାକୁ ସକପିଟ୍ ଜରିଆରେ ରଖାଯିବ। କିପରି ପ୍ରଦୂଷଣ ନ ହେବ ସେଥିପାଇଁ ଜଳ ଅମଳ ପ୍ରକଳ୍ପ ପରି ସକପିଟ୍ କରାଯାଇ ଏହି ପାଣିକୁ ତାହା ମଧ୍ୟକୁ ଛଡ଼ାଯିବ। ପ୍ରଦୂଷିତ ପାଣି ସେଠାରେ ସିଙ୍କ୍ ହୋଇ ରହିବ। ଫଳରେ ଅନ୍ୟ ଜଳସ୍ରୋତ ପ୍ରଦୂଷିତ ହେବ ନାହିଁ ଏବଂ ଭୂତଳ ଜଳ ରିଚାର୍ଜ ହେବ।

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ଛତ୍ରପୁର, ଗଞ୍ଜାମ, ଖଲିକୋଟ, ରମ୍ଭା ଏବଂ ଗୋପାଳପୁର ଏନ୍ଏସି ସମେତ ଆସିକା, ଚିକିଟି, କବିସୂର୍ଯ୍ୟନଗର ଏବଂ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ସେଥିପାଇଁ ହିଞ୍ଜିଳି ଓ ଛତ୍ରପୁର ଠାରେ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା। ରାଜ୍ୟର ଜଟଣୀ ଓ ଢେଙ୍କାନାଳ ସହରରେ ଏହାକୁ ପରୀକ୍ଷାମୂଳକ ପ୍ରୟୋଗ କରି ସଫଳତା ମିଳିବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଇତି ମଧ୍ୟରେ ଛତ୍ରପୁର ଏନଏସି ଅନ୍ତର୍ଗତ ପୋତିଗୋପଳପୁରରେ ଏହି ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି।

ଆୟୋଜିତ ତାଲିମ ଶିବିରରେ ସହରାଞ୍ଚଳ ଗୁଡିକର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ସମେତ ମୁକ୍ତା ଟିମ୍, ମିଶନ୍ ଶକ୍ତି ସଦସ୍ୟା, ସ୍ୱଚ୍ଛ ସାଥୀ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସେମାନଙ୍କୁ ଯୋଜନାର ଆଭିମୁଖ୍ୟ, କାର୍ଯ୍ୟକାରିତା, ପରିଚାଳନା ଓ ସଫଳତା ବାବଦରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଅତରିକ୍ତ ସଚିବ ସୈମେନ୍ଦ୍ର କୁମାର ରାଉତରାୟ, ସ୍ୱଚ୍ଛ ଭାରତ ମିଶନ୍ (ସହରାଞ୍ଚଳ) ଅତିରିକ୍ତ ନିର୍ଦ୍ଦେଶକ ଦେବାଶିଷ ସିଂ, ଗଞ୍ଜାମ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ ପ୍ରମୁଖ ମଞ୍ଚସୀନ ଥିଲେ। ଏଥିଲାଗି ସମସ୍ତ ସ୍ୱଚ୍ଛ ସାଥୀ ଘରକୁ ଘର ବୁଲି ସର୍ଭେ କରି ତଥ୍ୟ ସଂଗ୍ରହ କରିବା ସହ ଯୋଜନାର ସଫଳତା ପାଇଁ କାଉନସିଲରଙ୍କ ସହଯୋଗ ଆବଶ୍ୟକ ବୋଲି କୁହାଯାଇଥିଲା। ଏହାକୁ ମୁକ୍ତା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି।

Exit mobile version