Site icon ଆଜିକାଲି

ପୁରୀ ବେଳାଭୂମିରେ ବାଲୁକା କଳା କରି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଫ୍ୟାନ୍ସଙ୍କ ସମର୍ଥନରେ କମ୍ପିବ କତାର ଲୁସାଇଲ ଷ୍ଟାଡିୟମ । ମଇଦାନରେ ଥିବେ ନାଲି ଓ ଆକାଶିଆ ରଙ୍ଗର ଜର୍ସି ପିନ୍ଧିଥିବା ଦୁଇଦଳ । ସୁନା ପରି ଚିକମିକ କରୁଥିବା ଫିଫା ବିଶ୍ବକପ ଟ୍ରଫି ପାଇଁ ଦୁଇଦଳ ମଧ୍ୟରେ ହେବ ମୁକାବିଲା । ଚଳିତ ଫିଫା ବିଶ୍ବକପ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି ରବିବାର ଖେଳାଯିବ ଫିଫା ବିଶ୍ବକପର ଫାଇନାଲ ମ୍ୟାଚ । ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ହେବ ମହାମୁକାବିଲା । ଏହି ପରିପ୍ରେକ୍ଷୀରେ ପୁରୀ ବେଳାଭୂମିରେ ୧୪୮ଟି ବଲ୍‌ରେ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସେ ସର୍ବଦା ‌ବାଲୁକା କଳା ଜରିଆରେ କିଛି ନିଆରା ବାର୍ତ୍ତା ଦେବାକୁ ଚେଷ୍ଟା କରିଆସିଛନ୍ତି। ଏଥର ୭ ଫୁଟ ଉଚ୍ଚର ବାଲୁକା କଳାରେ ୧୪୮ଟି ବିଭିନ୍ନ ରଙ୍ଗର ବଲ୍‌ ଓ ଏକ ଟ୍ରଫି ଦେଇ ବାଲୁକା କଳାକୁ ଭିନ୍ନ ରୂପ ଦେଇଛନ୍ତି। ଏହି ବାଲୁକା କଳାରେ ଆର୍ଜେଣ୍ଟିନାର ମେସି ଓ ଫ୍ରାନ୍ସର ଏମବାପେଙ୍କ କଳାକୃତି କରି ସେ ଦୁଇ ଦଳକୁ ବି ‌ଶୁଭେଚ୍ଛା ଜଣାଇଛନ୍ତି। ବାଲୁକା କଳାରେ ୫ ଟନ୍‌ ବାଲି ବ୍ୟବହାର କରାଯାଇଛି। ଏଥିରେ ବାଲୁକା କଳା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବି ସହଯୋଗ କରିଥିଲେ।

Exit mobile version