Site icon ଆଜିକାଲି

ଆଖିଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ସାରା ରାଜ୍ୟରେ ବ୍ୟାପିଛି ଆଖିଧରା ରୋଗ । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ଏ ନେଇ ମାମଲା ଚିହ୍ନଟ ହେଉଛି । ବିଶେଷ କରି ସ୍କୁଲ ପିଲାଙ୍କ ଭିତରେ ଅତି ଶୀଘ୍ର ବ୍ୟାପୁଛି । ଆଖିଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ । ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ତେବେ କେତେ ଛାତ୍ରଛାତ୍ରୀ ଆଖିଧରାରେ ସଂକ୍ରମିତ ହେଉଛନ୍ତି, ଶିକ୍ଷାଦାନ କେତେ ବ୍ୟାହତ ହେଉଛି ସେ ତଥ୍ୟ ଆସିନି । ସେ ତଥ୍ୟ ଆସିବା ପରେ ଆବଶ୍ୟକ ପଡିଲେ ସ୍କୁଲ ଲାଗି ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶାବଳୀ ଜାରି କରିବ । ଏହାଛଡ଼ା ସେ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି, ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ । ଘରେ ସପ୍ତାହେ ପିଲାଙ୍କ ଯତ୍ନ ନିଅନ୍ତୁ । ଡ଼ାକ୍ତରଙ୍କୁ ଦେଖାଇ ଚିକିତ୍ସା କରନ୍ତୁ ବୋଲି ସେ କହିଛନ୍ତି ।

ତେବେ ଏଥିରେ ବିଚଳିତ ନହେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗ ଦର୍ଶିକାରେ କଣ କରିବେ ଏବଂ କଣ ନ କରିବେ ସେ ନେଇ ସୂଚନା ଦିଆଯାଇଛି । ଏପଟେ ଜନସ୍ୱାସ୍ଥ୍ୟ ବିଭାଗ କହିଛି, ଆଖିଧରା ରୋଗର ପ୍ରତିକାର ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ।

Exit mobile version