Site icon ଆଜିକାଲି

ରାଜ୍ୟରେ ଏଚ୩ଏନ୨ ସଂକ୍ରମଣ ଚିନ୍ତାଜନକ ନୁହେଁ

ଭୁବନେଶ୍ବର : ରାଜ୍ୟରେ ଏଚ୩ଏନ୨ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଛନ୍ତି। ଏଚ୩ଏନ୨ ସଂକ୍ରମିତଙ୍କ ଠାରେ କୋଭିଡ ଭଳି ଲକ୍ଷଣ ଦେଖା ଦେଉଥିଲେ ବି ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି। ବିଭିନ୍ନ ସରକାରୀ ଡାକ୍ତରଖାନାରୁ ଆସୁଥିବା ନମୁନାର ପରୀକ୍ଷା ଆରଏମଆରସିରେ କରାଯାଉଛି। ତାପମାତ୍ରା ବୃଦ୍ଧି ସହିତ ଏହି ସଂକ୍ରମଣ ହ୍ରାସ ପାଇବ ବୋଲି ଡାକ୍ତର ସଂଘମିତ୍ରା ପତି କହିଛନ୍ତି।

ଡ୍ରପଲେଟରୁ ବୃଦ୍ଧି ପାଏ ସଂକ୍ରମଣ। ସ୍କୁଲରେ ପିଲା ଏକାଠି ହେଉଥିବାରୁ ପିଲାଙ୍କ ମଧ୍ୟରେ ଏହା ଅଧିକ ବ୍ୟାପୁଛି। ଏହାକୁ ନେଇ ବାହାର ରାଜ୍ୟରେ ସ୍କୁଲ ବନ୍ଦ ଭଳି ସ୍ଥିତି ଉପୁଜିଛି। ହେଲେ ରାଜ୍ୟରେ ସେଭଳି ଆତଙ୍କିତ ହେବା ଭଳି ସ୍ଥିତି ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ଏହା ଋତୁକାଳୀନ ଇନଫ୍ଲୁଏଞ୍ଜା ହୋଇଥିବାରୁ ସଂକ୍ରମିତ ବ୍ୟକ୍ତି ୭ଦିନ ମଧ୍ୟରେ ବିନା ଔଷଧରେ ସୁସ୍ଥ ହୋଇଥାନ୍ତି।

ଯଦି କୌଣସି ବ୍ୟକ୍ତିଙ୍କୁ ଅଧିକ ଦିନ ଥଣ୍ଡା, କାଶ, ଜ୍ଵର ଲାଗି ରହେ ତେବେ ଡାକ୍ତରଙ୍କୁ ପରାମର୍ଶ କରିବେ। ପ୍ରଥମେ କୋଭିଡ ଟେଷ୍ଟ ପରେ ଇନଫ୍ଲୁଏଞ୍ଜା ଟେଷ୍ଟ କରି ଚିକିତ୍ସା ହେବ। ଯଦି ଥଣ୍ଡା ଜ୍ଵର ନିମୋନିଆ ଆଡ଼କୁ ଗତି କରେ ଏଥିରେ ଆଣ୍ଟିବାୟୋଟିକ କାମ କରେ ନାହିଁ, ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିଭାଇରାଲ୍ ଔଷଧ ଆରମ୍ଭ ହେବ। ରାଜ୍ୟରେ ଆତଙ୍କିତ ହେବା ଭଳି ସ୍ଥିତି ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରାଜ୍ୟରେ ଚିହ୍ନଟ ମୋଟ ୬୧ଜଣ ସଂକ୍ରମିତଙ୍କ ମଧ୍ୟରୁ ୬ଜଣ ୫ବର୍ଷରୁ କମ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି।

Exit mobile version