Site icon ଆଜିକାଲି

ଆରମ୍ଭ ହେବ ହବିଷ୍ୟାଳି ଶିବିର, ୧୦ରୁ ପଞ୍ଜିକରଣ

ପୁରୀ : ମହାମାରୀ କରୋନା ପାଇଁ ବନ୍ଦ ଥିବା ହବିଷ୍ୟାଳିଙ୍କ ପାଇଁ ଶିବିର ପୁଣି ଥରେ ଆରମ୍ଭ ହେବ। ଦୀର୍ଘ ଦୁଇବର୍ଷ ପରେ ପୁଣି ଆରମ୍ଭ ହେବ ହବିଷ୍ୟାଳି ଶିବିର। ପ୍ରାୟ ଅଢେଇ ହଜାର ହବିଷ୍ଯାଳିଙ୍କ ପାଇଁ ହେଉଛି ବ୍ଯବସ୍ଥା। ଚଳିତ ମାସ ୧୦ରୁ ଆରମ୍ଭ ହେବ ପଞ୍ଜିକରଣ। ସେପ୍ଟେମ୍ବର ୨୫ ହେବ ପଞ୍ଜିକରଣର ଶେଷ ତାରିଖ। ଏନେଇ ସେପ୍ଟେମ୍ବର ୮ ତାରିଖରେ ବିଜ୍ଞପ୍ତି ଜାରୀ ହେବ। ଅକ୍ଟୋବର ୧୦ରୁ ଆରମ୍ଭ ହେବ କାର୍ତ୍ତୀକ ବ୍ରତ। ଏଥର ନୂତନ ହବିଷ୍ୟାଳି ଶିବିର ସ୍ଥାୟୀ ଭାବେ କରାଯିବ। ଏଥିପାଇଁ ନରେନ୍ଦ୍ର କୋଣ ଅଞ୍ଚଳରେ ବହୁତ ତଳ କୋଠା ବୃନ୍ଦାବତୀ ଭବନରେ ରହିବେ ହବିଷ୍ୟାଳି। ଶିବିର ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ। ଆବଶ୍ୟକ ପଡିଲେ ରେଳବାଇ ଯାତ୍ରୀ ବିଶ୍ରାମାଗାରକୁ ମଧ୍ୟ ଅସ୍ଥାୟୀ ଶିବିର କରାଯିବ। ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷ୍ଯାଳି ପଞ୍ଜିକରଣ କରିପାରିବେ। ବୁଷ୍ଟର ଡୋଜ ଟିକାକରଣ ହେବ ବାଧ୍ଯତାମୂଳକ।

ଅକ୍ଟୋବର ୧୦ କାର୍ତ୍ତିକ ପ୍ରତିପଦାରୁ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ବ୍ରତ। ତେବେ ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାକାର୍ତ୍ତିକ ନୀତି। ଆଉ ଦୀର୍ଘ ଦୁଇବର୍ଷ ପରେ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ପୁଣି ଆରମ୍ଭ ହେବ କାର୍ତ୍ତିକ ବ୍ରତଧାରୀମାନଙ୍କ ପାଇଁ ହବିଷ୍ଯାଳି ଶିବିର। ହେଲେ ଚଳିତବର୍ଷ ଅସ୍ଥାୟୀ ଶିବିର ନୁହେଁ ନରେନ୍ଦ୍ରକୋଣ ସ୍ଥିତ ବୃନ୍ଦାବତୀ ନିବାସ ସ୍ଥାୟୀ କୋଠାରେ ରହିବେ ହବିଷ୍ଯାଳି। ଆଉ ଅକ୍ଟୋବର ୧୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୋଠାକୁ ହବିଷ୍ଯାଳିଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ।

ଏହି କୋଠାରେ ଦୁଇହଜାର ହବିଷ୍ଯାଳି ରହିବା ପାଇଁ ବ୍ଯବସ୍ଥା ଥିବା ବେଳେ ଆବଶ୍ୟକ ପଡିଲେ ରେଳବାଇ ଯାତ୍ରୀ ବିଶ୍ରାମାଗାରକୁ ଅସ୍ଥାୟୀ ଶିବିର ଭାବେ ପ୍ରସ୍ତୁତ କରାଯିବ। ଆଉ ଦୀର୍ଘ ଦୁଇବର୍ଷ ପରେ ଏହି ଶିବିରର ଆୟୋଜନ କରାଯାଉଥିବାରୁ ଅଢେଇ ହଜାରରୁ ତିନି ହଜାର ହବିଷ୍ଯାଳିଙ୍କ ପାଇଁ ମାଗଣା ରହିବା ଖାଇବା ଓ ଜଗନ୍ନାଥଙ୍କ ଦର୍ଶନ ବ୍ଯବସ୍ଥା କରାଯାଉଛି। ହେଲେ କୋଭିଡକୁ ନେଇ ରହିଛି ସ୍ୱତନ୍ତ୍ର କଟକଣା। ପ୍ରତିଟି ବ୍ରତଧାରୀଙ୍କ ପାଇଁ ବୁଷ୍ଟରଡୋଜ ବାଧ୍ଯତାମୁଳକ କରାଯାଇଥିବା ବେଳେ ଶିବିରରେ ମଧ୍ୟ ମାଗଣା ବୁଷ୍ଟର ଡୋଜ ଦିଆଯିବ। ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷ୍ଯାଳି ମାନେ ନିଜର ପଞ୍ଜିକରଣ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଚଳିତବର୍ଷ ହବିଷ୍ଯାଳି ଶିବିରକୁ ନେଇ ଚାଲିଛି ପ୍ରଶାସନିକ ପ୍ରସ୍ତୁତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ଓ ନିତି ପ୍ରଶାସକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପର୍ଯ୍ଯଟନ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ସଂସ୍କୃତି ଅଧିକାରୀଙ୍କ ସହ ପରିଚାଳନା କମିଟି ସଦସ୍ଯଙ୍କୁ ନେଇ ହୋଇଥିଲା ସମୀକ୍ଷା ବୈଠକ। ଶ୍ରୀମନ୍ଦିରରେ କାର୍ତ୍ତୀକ ନିତି ସୃଙ୍ଖଳିତ, ହବିଷ୍ଯାଳିଙ୍କ ପାଇଁ ଦର୍ଶନ ବ୍ଯବସ୍ଥା, ସ୍ୱାସ୍ଥ୍ୟ, ଖାଦ୍ୟ, ପାନୀୟ, ପୂଜାର୍ଚ୍ଚନା ଓ ଶିବିରରୁ ବସ ଯୋଗେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ଯବସ୍ଥା ନେଇ ହୋଇଛି ଆଲୋଚନା।

ବିଶେଷକରି ହବିଷ୍ଯାଳିଙ୍କୁ ମାଗଣା ମହାପ୍ରସାଦ ଦେବା ପାଇଁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ। ତେବେ ୨୦୧୬ରୁ ରାଜ୍ୟ ସରକାର ହବିଷ୍ଯାଳିଙ୍କ ପାଇଁ ସମସ୍ତ ବ୍ଯବସ୍ଥା କରିଆସୁଥିବା ବେଳେ ଚଳିତବର୍ଷ ବ୍ରତଧାରୀଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ। କାରଣ ଶ୍ରୀକ୍ଷେତ୍ରରେ ରହି କାର୍ତ୍ତୀକ ବ୍ରତ କଲେ ମହାପୁଣ୍ଯ ମିଳିଥାଏ ବୋଲି ଏହି ବିଶ୍ୱାସକୁ ନେଇ ବ୍ରତଧାରୀଙ୍କ ଭିଡ ଜମିବ ବୋଲି କହିଛନ୍ତି ଗବେଷକ।

ତେବେ ପୂର୍ବରୁ ଅସ୍ଥାୟୀ ଶିବିରରେ କାର୍ତ୍ତୀକ ବ୍ରତ ବେଳେ ହବିଷ୍ଯାଳି ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆଉ ଏବେ ସ୍ଥାୟୀ ଶିବିରରେ କେତେ ସୁରକ୍ଷିତ ହେବେ ହବିଷ୍ଯାଳି ଆଉ କିଭଳି ନିଷ୍ଠାର ସହ ପାଳିବେ ବ୍ରତ ତାହା ଉପରେ ରହିଛି ସମସ୍ତଙ୍କ ନଜର।

Exit mobile version