Site icon ଆଜିକାଲି

ହଷ୍ଟେଲ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଯାଜପୁର : ଯାଜପୁର ସରକାରୀ ପଲିଟେକ୍‌ନିକ୍‌ କଲେଜ୍‌ର ବିରଜା ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅପରପକ୍ଷେ ପରିବାର ଲୋକେ ରାଗିଂ ଅଭିଯୋଗ ଆଣିଥିବାର ଜଣାପଡ଼ିଛି ।

ସୂଚନା ଯେ, ଛାତ୍ରୀ ଜଣକ ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ( ୧୮) । ସେ ୩ୟ ବର୍ଷର ଇଲେକ୍ଟ୍ରିକାଲ୍‌ ବିଭାଗରେ ପଢୁଥିବା ବେଳେ ଜଣେ ମେଧାବୀ ଛାତ୍ରୀ ଥିଲେ। ତେବେ ମଙ୍ଗଳବାର ସକାଳେ ହଷ୍ଟେଲର ପଙ୍ଖାରେ ଚୁନି ଲଗାଇ ଝୁଲିପଡିଥିବା ସାଙ୍ଗମାନ ଦେଖି କତ୍ତୃପକ୍ଷଙ୍କୁ ଜଣାଇ ଥିଲେ । ତେବେ କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ସେ ଫୋନରେ ଘରକୁ ଜଣେଇଥିବା କହିଛନ୍ତି ପରିବାର ଲୋକେ । ତେବେ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ କୋରେଇ ଥାନା ଆଇଆଇସି ସଂଘମିତ୍ର ମଲ୍ଲିକ ଓ ଯାଜପୁର ଏସଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

Exit mobile version