Site icon ଆଜିକାଲି

ସ୍ୱାସ୍ଥ୍ୟମନ୍ତ୍ରୀ-ନର୍ସିଂ ସଙ୍ଘ ଆଲୋଚନା ସଫଳ, ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର : ରାଜ୍ୟରେ ୪ ଦିନ ଧରି ଚାଲିଥିବା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ନର୍ସିଂ ସଂଘ ସାଧାରଣ ସଂପାଦକ। ଆଜିଠାରୁ ନର୍ସିଂ ଅଫିସରମାନେ କାମକୁ ଫେରିବେ ବୋଲି ଜଣାପଡ଼ିଛି।

୧୦ ଦଫା ଦାବି ନେଇ ୨ ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ନର୍ସିଂ ସଙ୍ଘ ସହ ଆଲୋଚନା ସଫଳ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଶନିବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ନର୍ସିଂ ସଙ୍ଘ ପ୍ରତିନିଧିଙ୍କ ମଧ୍ୟରେ ବୈଠକ ବସିବା ପରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ସେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନର୍ସିଂ ସଂଘ  ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଅନ୍ୟପକ୍ଷରେ ନର୍ସିଂ ସଙ୍ଘ ସଭାପତି ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଥିବା କହିଛନ୍ତି। ଆଲୋଚନା କାଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଦାବି ପୂରଣ ନେଇ ପ୍ରତିଶୃତି ଦେଇଛନ୍ତି ବୋଲି ସଙ୍ଘ ସଭାପତି କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଛି । ସେମାନେ ଆଜିଠୁ ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି । ସେମାନଙ୍କର ଦାବି ଉପରେ ତଜର୍ମା ପାଇଁ ଅନ୍ତବିଭାଗୀୟ କମିଟି ଗଠନ ହୋଇଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ନର୍ସିଂ କର୍ମଚାରୀ ସଂଘର ସମ୍ପାଦକ ଅଶ୍ୱିନୀ କୁମାର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଜି ହୋଇଥିବା ଆଲୋଚନା ଫଳପ୍ରଦ ରହିଛି । ନର୍ସିଂ କର୍ମଚାରୀମାନଙ୍କର ସମସ୍ତ ୧୦ଦଫା ଦାବି ପ୍ରତି ସ୍ୱାସ୍ଥ୍ୟମନ୍ତ୍ରୀ ଅବଗତ ଅଛନ୍ତି । ଆମେ ମଧ୍ୟ ତା’ର ଯଥାର୍ଥ କାରଣ ଦେଇଛି । ସରକାର ସେସବୁ ପ୍ରତି ଅବଗତ ଅଛନ୍ତି ଓ ତାକୁ ଅନ୍ତବିଭାଗୀୟ କମିଟି ଦ୍ୱାରା ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ନର୍ସିଂ କର୍ମଚାରୀମାନେ ରୋଗୀ ସେବାକୁ ଫେରିଲେ ଯେତେଶୀଘ୍ର ସମ୍ଭବ ଦାବିଗୁଡ଼ିକ ଉପରେ ସରକାର ବିଚାର କରିବେ । ଯେହେତୁ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ସଂଘର ସାଧାରଣ ପରିଷଦ ନେଇଥିଲା ,ତେଣୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଏବେ ଜରୁରୀ ବୈଠକ ଡକାଯାଇଛି । ରାଜ୍ୟ ଓ ଜିଲ୍ଲାସ୍ତରର କର୍ମକର୍ତ୍ତାଙ୍କ ମତାମତ ନିଆଯିବ । ଦାବି ପୂରଣ ନିମନ୍ତେ ସରକାରଙ୍କୁ ସମୟ ଦିଆଯିବ । ଆମେ ଆଜି ଯାହା ଆଲୋଚନା ହେଲା ତାହା ସମସ୍ତଙ୍କୁ ଅବଗତ କରି ଆଜି ରାତି ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ।

Exit mobile version