Site icon ଆଜିକାଲି

ଚିକିତ୍ସା ପାଇଁ ୪୦ ହଜାର ମାଗିବା ଘଟଣା: ସିଡ଼ିଏମଓ ଅଫିସ୍ ଘେରାଉ କଲେ ଓକିଲ ସଂଘ

ମେଡିକାଲ କଲେଜ ହେବା ପରେ କେନ୍ଦୁଝରରେ ସ୍ୱାସ୍ଥ୍ୟସେବା ବିଗିଡିବାରେ ଲାଗିଛି । ପୂର୍ବରୁ ରୋଗୀଙ୍କ ପ୍ରତି ଡାକ୍ତରମାନେ ଚିକିତ୍ସା ସମୟରେ ସମବେଦନା ଜଣାଉଥିବା ବେଳେ ଏବେ ଅଚିହ୍ନା ଡାକ୍ତରମାନେ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ଏଭଳି ଅଭାବନୀୟ ଘଟଣା ବୁଧବାର କେନ୍ଦୁଝର ସଦର ମହକୁମାରେ ଦେଖିବାକୁ ମିଳିଛି । ଜଣେ ଶିଶୁର ଅସ୍ତ୍ରୋପଚାର ପାଇଁ ଡାକ୍ତର ୪୦ ହଜାର ଟଙ୍କା ମାଗିବା ପରେ ସ୍ୱାସ୍ଥ୍ୟବିଭାଗର ଗୁମର ଖୋଲୁଛି । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମେଦିନୀପୁର ଗ୍ରାମର ଲିପ୍‌ସା ମୁଣ୍ଡା(୨ ବର୍ଷ)ଙ୍କ ଡାହାଣ ହାତରେ ୬ଟି ଆଙ୍ଗୁଳି ଅଛି । ଝିଅଟେ ଯୋଗୁ ପରିବାର ଲୋକେ ଉକ୍ତ ଆଙ୍ଗୁଳିକୁ ଅସ୍ତ୍ରୋପଚାର ଦ୍ୱାରା କାଟି ଦେବାକୁ ମନସ୍ଥ କରିଥିଲେ । ଶିଶୁର ବୟସ ଏବେ ୨ ବର୍ଷ ହୋଇଥିବାରୁ ଅପରେସନ୍‌ ଦ୍ୱାରା ଆଙ୍ଗୁଳିକୁ କାଟି ଦେବାକୁ ମନସ୍ଥ କରିଥିଲେ । ମାତ୍ର ଡାକ୍ତର ଶିଶୁର ବାପା ଜଳଧର ମୁଣ୍ଡାଙ୍କୁ ଅପରେସନ ପୂର୍ବରୁ ଘରେଇ ଡାକ୍ତରଖାନାରେ କରିବାକୁ କହି ୪୦ ହଜାର ଟଙ୍କା ମାଗିଥିଲେ। ଏହାର ପ୍ରତିବାଦରେ କେନ୍ଦୁଝର ଓକିଲ ସଙ୍ଘ ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଶତାଧିକ ଓକିଲ ସିଡ଼ିଏମଓ ଙ୍କୁ ଘେରାଉ କରିଥିଲେ। ଶିଶୁର ପରିବାରକୁ ଡାକି ମାଗଣାରେ ଅପରେସନ କରିବାର ପ୍ରତିଶୃତି ଦେବା ପରେ ଉତ୍ତେଜନା କମିଥିବା ସୂଚନା ମିଳିଛି। ସୂଚନା ମୁତାବକ, କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ଲିପ୍‌ସାକୁ ନେଇ ବାପା ଜଳଧର ଓ ମା’ ସୌଦାମିନୀ ଆସିଥିଲେ । ଅସ୍ଥିଶଲ୍ୟ ବିଭାଗରେ ଡାକ୍ତର ଶିଶୁକୁ ଅନୁଧ୍ୟାନ କରିବା ପରେ ସରକାରୀ ଡାକ୍ତରଖାନାରେ ଅପରେସନ ସୁବିଧା ନାହିଁ କହି ଘରୋଇ ଡାକ୍ତରଖାନାରେ କରାଯିବ ବୋଲି କହିଥିଲେ । ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଧରି ଆସିବାକୁ ଗତ ୨୦ ତାରିଖ ପରାମର୍ଶ ଦେଇଥିଲେ । ଫଳରେ ସେଦିନ ଚିକିତ୍ସା ପାଇଁ ଆସିଥିବା ପରିବାର ବିଜୁ ସ୍ୱାସ୍ଥ୍ୟକାର୍ଡ ଆଣିବାକୁ ଫେରି ଯାଇଥିଲେ । ବୁଧବାର ଶିଶୁକୁ ଧରି ପରିବାର ଲୋକେ କେନ୍ଦୁଝର ଡାକ୍ତରଖାନାରେ ପହଞ୍ଚିବା ପରେ ବର୍ହିବିଭାଗ ଟିକେଟ୍‌ କରିବା ପରେ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଶିଶୁକୁ ଦେଖିଥିଲେ । ବିଜୁ ସ୍ୱାସ୍ଥ୍ୟକାର୍ଡ ହେବ ନାହିଁ ୪୦ ହଜାର ଟଙ୍କା ଅପରେସନ୍‌ ପାଇଁ ଖର୍ଚ୍ଚ ହେବ ବୋଲି କହିଥିଲେ । ଫଳରେ ଗରିବ ପରିବାରକୁ ଶିଶୁର ଚିକିତ୍ସା କେମିତି କରିବେ ସେହି ଚିନ୍ତା ଘାରିଥିଲା । ୪/୫ ହଜାର ହେଲେ ଖର୍ଚ୍ଚ କରିବାକୁ ସେମାନେ ସକ୍ଷମ । ଏତେ ଗୁଡିଏ ଟଙ୍କା କେଉଁଠାରୁ ପାଇବେ । ଏହା ଜଣାଇବା ଏବଂ ଚିକିତ୍ସା ପାଇଁ ସହାୟତା କରିବାକୁ ସେମାନେ ବୁଧବାର ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ । ମାତ୍ର ଜିଲ୍ଲାପାଳଙ୍କୁ ନପାଇ ନିରାଶ ହୋଇ ଘରକୁ ଫେରି ଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କିଶୋଣ ଚନ୍ଦ୍ର ପୃଷ୍ଟିଙ୍କୁ ପଚାରିବାରୁ ସମ୍ପୃକ୍ତ ଶିଶୁର ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ କେନ୍ଦୁଝର ସରକାରୀ ଡାକ୍ତରଖାନାରେ କରାଯିବ । ରୋଗୀ ଠାରୁ ଟଙ୍କାଟିଏ ମଧ୍ୟ ନିଆଯିବ ନାହିଁ ବୋଲି କହିଛନ୍ତି ।

Exit mobile version