Site icon ଆଜିକାଲି

ଶ୍ରାବଣରେ ଟାଇଁ ଟାଇଁ ଖରା ଓ ଗୁଳୁଗୁଳି

ଭୁବନେଶ୍ୱର : ଶ୍ରାବଣ ମାସରେ ଅନବରତ ବର୍ଷା ବଦଳରେ ଟାଇଁ ଟାଇଁ ଖରା ଓ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଗଲା ୪ -୫ ଦିନ ହେବ ସାରା ରାଜ୍ୟରେ ଏମିତି ସ୍ଥିତି ଲାଗି ରହିଛି । ଏହି ସ୍ଥିତି ଆହୁରି ୩-୪ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଦୁର୍ବଳ ହେବା ଯୋଗୁଁ ଆକାଶ ନିର୍ମଳ ରହୁଛି। ଫଳରେ ଭୂପୃଷ୍ଠକୁ ସିଧା ସୂର୍ଯ୍ୟକିରଣ ପଡ଼ୁଛି ଓ ଅସହ୍ୟ ତାତି ଅନୁଭୂତ ହେଉଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଗୁଳୁଗୁଳିର ପ୍ରଭାବ ରହୁଛି। ଫଳରେ ଶ୍ରାବଣ ମାସରେ ଗ୍ରୀଷ୍ମ ଭଳି ସ୍ଥିତି ଅନୁଭବ କରୁଛନ୍ତି ଲୋକେ ।

ଆସନ୍ତା ୨ରୁ୩ ଦିନ ଯାଏଁ ରାଜ୍ୟରେ ଏମିତି ସ୍ଥିତି ଅନୁଭୂତ ହେବ। ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩-୪ ଡିଗ୍ରୀ ଯାଏଁ ଅଧିକ ରହିବ। ସେହିପରି ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ଏବଂ ସ୍ୱାଭାବିକଠାରୁ ଅଧିକ ଦିନ ତାପମାତ୍ରା କାରଣରୁ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ବର୍ତ୍ତମାନ ମୌସୁମୀ ଟ୍ରଫଲାଇନ ଉତ୍ତରମୁହାଁ ହୋଇଥିବା ଯୋଗୁଁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଆସନ୍ତା ୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପାଗରେ ପରିବର୍ତ୍ତନ ଆସିପାରେ ।

Exit mobile version