Site icon ଆଜିକାଲି

ରାଜ୍ୟରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା

ଭୁବନେଶ୍ବର : ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ଓ ଆସନ୍ତକଲି ରାଜ୍ୟ ତମାମ ଲାଗି ରହିବ ବର୍ଷା। ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା-ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଫଳରେ ଆଜି ରାଜ୍ୟର ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୯ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଏହି ୯ ଜିଲା ବ୍ୟତୀତ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହପରି ୨୧ ତାରିଖ ବୁଧବାର ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ। ବିଶେଷକରି ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଅପରପକ୍ଷେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମୌସୁମୀଜନିତ ନିମ୍ନଚାପ ରେଖା ଆଜି ପଞ୍ଜାବର ଭତିଣ୍ଡାରୁ ବାହାରି ଦିଲ୍ଲୀ, ହରଦଇ, ବାରଣାସୀ, ରାଞ୍ଚି ଦେଇ ଓଡ଼ିଶାର ବାଲେଶ୍ବରରୁ ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଯାଏ ଲମ୍ବିଛି। ଫଳରେ ମୌସୁମୀ ପ୍ରଭାବରେ ବି ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବ। ଦିନତମାମ ବର୍ଷା ଲାଗି ରହିପାରେ। ଆଜି ସକାଳୁ ସାଢ଼େ ୮ରୁ ସଂଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ତାଳଚେରରେ ସର୍ବାଧିକ ୩୮ ମିମି ବର୍ଷା ହୋଇଯାଇଛି। ଏହାସହ ଚାନ୍ଦବାଲିରେ ୩୩.୯ ମିମି, ପାରାଦୀପରେ ୩୧.୭ ମିମି, ନବରଙ୍ଗପୁରରେ ୨୩.୪ ମିମି ଓ ରାଜଧାନୀ ଭୁ‌ବନେଶ୍ବରରେ ୩.୫ ମିମି ବର୍ଷା ହୋଇଯାଇଛି।

Exit mobile version