Site icon ଆଜିକାଲି

ଅକ୍ଟୋବର ପହିଲାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅକ୍ଟୋବର ପହିଲାରୁ ପ୍ରବଳ ବର୍ଷା ଆରମ୍ଭ ହେବ । ୨ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ବୃଦ୍ଧି ପାଇବ। ଉପକୂଳବର୍ତ୍ତୀ ଜିଲାଗୁଡିକ ସମେତ ଏହାର ସଂଲଗ୍ନ ଜିଲାଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ। ବର୍ଷାକୁ ଦୃଷ୍ଟିରେ ରଖି ଏବେଠାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରିଛି ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧ ତାରିଖରେ ଉତ୍ତର-ପୂର୍ବ ଓ ତତ୍ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଉପକୂଳ ଓଡ଼ିଶାରେ ୧ ତାରିଖରୁ ବର୍ଷା ଆରମ୍ଭ ହେବ । ୨ ଓ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଘୂର୍ଣ୍ଣିବଳୟଟି ଲଘୁଚାପରୂ ନେବ କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଆଗାମୀ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏପଟେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ମଧ୍ୟ ବର୍ଷା ଲାଗିରହିଛି । ୨୮ ଓ ୨୯ ତାରିଖରେ ଉପକୂଳ ସମେତ ୨୦ ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ତେବେ ପାଣିପାଗ ବିଭାଗର ଆକଳନକୁ ନେଇ ପୂଜାକମିଟିମାନେ ଚିନ୍ତାରେ ପଡ଼ିଛନ୍ତି । ତେଣୁ ଏଥର ବି ପୂଜା ଫିକା ପଡ଼ିବାର ସମ୍ଭାବନା ରହିଛି ।

Exit mobile version