Site icon ଆଜିକାଲି

ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା : ୧୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଥିବା ମୌସୁମୀ ପ୍ରଭାବରେ ଓଡ଼ିଶାର କିଛି ଜିଲାରେ ବର୍ଷା ଜାରି ରହିଛି। ଆଜି ଠାରୁ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବ। ୧୦ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣି କେନ୍ଦ୍ର। ମୌସୁମୀ ର ସକ୍ରିୟତା ବୃଦ୍ଧି ଏବଂ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୭ ତାରିଖରେ ଉତ୍ତର-ପଶ୍ଚିମ ତତ୍‌ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଝଡ଼ବର୍ଷା ସହ ପବନର ଘଣ୍ଟା ପ୍ରତି ବେଗ ୪୫ରୁ ୫୫ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାପାଇଁ ବାରଣ କରାଯାଇଛି।

ଗତକାଲିର ଘୂର୍ଣ୍ଣିବଳୟ ଆଜି ମଧ୍ୟ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଆନ୍ଧ୍ର ଉପକୂଳରେ ସକ୍ରିୟ ଥିବାବେଳେ ଏହି ଅଞ୍ଚଳରେ ସମୁଦ୍ର ପତ୍ତନରୁ ଵାୟୁମଣ୍ଡଳର ୪.୫ କିମି ଉଚ୍ଚତା ଯାଏଁ ନିଜର କାୟା ବିସ୍ତାର କରିଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି, ଶନିବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବରଗଡ, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ରେ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୯ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କେତେକ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ସମୁଦ୍ର ମଧ୍ୟରେ ଝଡ଼ବର୍ଷା ସହ ପବନର ଘଣ୍ଟା ପ୍ରତିବେଗ ୪୫ରୁ ୫୫ ରହିପାରେ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।

Exit mobile version