Site icon ଆଜିକାଲି

ଏଏସ୍‌ଓ ପରୀକ୍ଷା ଘୁଞ୍ଚାଇବା ଦାବିରେ ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

କଟକ : ଅଗଷ୍ଟ ୨୭ରେ ଅନୁଷ୍ଠିତ ହେବାକୁ ଥିବା ଏଏସ୍‌ଓ ଲିଖିତ ପରୀକ୍ଷାକୁ ଘୁଞ୍ଚାଇବା ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ଏଥିସହିତ ମାମଲାର ଶୁଣାଣିରେ ହାଇକୋର୍ଟ ମଙ୍ଗଳବାର ଅନ୍ତ ଘଟାଇଛନ୍ତି । ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡି.ପି.ଷଡଙ୍ଗୀ ଓ ଏସ.ବେହେରା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ମାମଲାରୁ ପ୍ରକାଶ ଯେ, ଅଗଷ୍ଟ ୨୧ରେ ଏଏସଓ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ବହୁପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଏହାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ପରୀକ୍ଷା ଅଗଷ୍ଟ ୨୭ରେ କରିବା ପାଇଁ ସାନି ବିଜ୍ଞପ୍ତି ଓପିଏସ୍‌ସି ପ୍ରକାଶ କରିଥିଲା । ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିନଥିବାରୁ ଏଏସଓ ପରୀକ୍ଷା ଆସନ୍ତା ୨୭ରେ ନକରିବାକୁ ଦାବି ଉଠିଥିଲା । ବନ୍ୟାସ୍ଥିତିରେ ସୁଧାର ପରେ ଏହି ପରୀକ୍ଷା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ । ନଚେତ୍ ବହୁ ପ୍ରାର୍ଥୀ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା ।

Exit mobile version