Site icon ଆଜିକାଲି

ଓଡ଼ିଶା ପାଇଁ ଐତିହାସିକ ଦିନ : ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶେଷ ହୋଇଛି ପ୍ରତୀକ୍ଷା । ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିଛି ବିମାନ । ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ଭୁବନେଶ୍ୱର-ଦୁବାଇ ବିମାନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପତାକା ଦେଖାଇ ବିମାନ ଉଡ଼ାଣ ସେବାର ଶୁଭାରମ୍ଭ କରିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୭୦ ଯାତ୍ରୀଙ୍କୁ ନେଇ ଦୁବାଇ ଅଭିମୁଖେ ଉଡ଼ାଣ ଭରିଛି ଇଣ୍ଡିଗୋ ବିମାନ । ବିମାନ ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ବପୂର୍ଣ୍ଣ । ଶିଳ୍ପର ବିକାଶ ହେଉ କି ନିବେଶ, ପର୍ଯ୍ୟଟନକୁ ପ୍ରୋତ୍ସାହନ କିମ୍ବା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଆବଶ୍ୟକ।

ଭୁବନେଶ୍ୱରରୁ ଦୁବାଇକୁ ପ୍ରଥମ ଦିନର ଫ୍ଲାଇଟରେ ଯାତ୍ରୀଙ୍କ ସହ ମିଶନ ଶକ୍ତି ସଦସ୍ୟ, କ୍ରୀଡ଼ାବିତ ପ୍ରମୁଖ ଯାତ୍ରା କରିଛନ୍ତି । ଏୟାରକ୍ରାଫ୍ଟ କ୍ରିୟୁଙ୍କ ସମେତ ମୋଟ ୧୭୦ ଜଣ ଯାତ୍ରୀ ଭୁବନେଶ୍ବରରୁ ଦୁବାଇ ଯାଇଛନ୍ତି। ଯାତ୍ରୀଙ୍କୁ ଉତ୍ତରୀୟ, ଓଡ଼ିଶା ପର୍ଯ୍ୟଟନ କିଟ୍ ବ୍ୟାଗ୍, ଫୁଲ ଗୁଚ୍ଛ ସହ ମିଠା ଦିଆଯାଇଥିଲା । ସେହିପରି ଦୁବାଇରୁ ଭୁବନେଶ୍ବର ଆସି ପହଞ୍ଚିଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିଥିଲେ । ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ଉପସ୍ଥିତିରେ ଶୁଭେଚ୍ଛା କେକ୍ କଟାଯାଇଥିଲା ।

Exit mobile version