Site icon ଆଜିକାଲି

ଆଜି ଗଞ୍ଜାମ ଆସୁଛି ହକି ବିଶ୍ୱ କପ୍ ଟ୍ରଫି

ଗଞ୍ଜାମ : କନ୍ଧମାଳ ଜିଲାରୁ ଦୁର୍ଗାପ୍ରସାଦ ଦେଇ ଗଞ୍ଜାମ ଜିଲାରେ ଆଜି ପହଞ୍ଚିବ ହକି ବିଶ୍ବ କପ୍ ଟ୍ରଫି। ଏହା ଦୁଇ ଦିନ ପାଇଁ ଗଞ୍ଜାମ ଜିଲା ପରିକ୍ରମା କରିବ। ପ୍ରଥମ ଦିନ ଭଞ୍ଜନଗର, ଆସିକା, ହିଞ୍ଜିଳିକାଟୁ ଓ ଛତ୍ରପୁର ଏବଂ ଦ୍ବିତୀୟ ଦିନ ଅର୍ଥାତ୍ ଗୁରୁବାର ଦିନ ବ୍ରହ୍ମପୁର ସହରରେ ପ୍ରଦର୍ଶିତ ହେବ ଏହି ଭବ୍ୟ ଟ୍ରଫି। କ୍ରୀଡ଼ାବିତ୍, କ୍ରୀଡ଼ାପ୍ରେମୀ, ଛାତ୍ରଛାତ୍ରୀ ଓ ଜନସାଧାରଣ ଦେଖିବାକୁ ପାଇବେ ଆମ ଦେଶର ଜାତୀୟ କ୍ରୀଡ଼ା ହକିର ମହାକୁମ୍ଭ ପ୍ରତିଯୋଗିତାର ପୁରସ୍କାରର ନିଦର୍ଶନ। ସାରା ଦେଶରେ ଏବେ ଓଡ଼ିଶା କିଭଳି କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେବାରେ ଅଗ୍ରଣୀ ତାହାର ଆଉ ଏକ ଉଦାହରଣ ଦେଖିହେବ ଯେତେବେଳେ ବିଭିନ୍ନ ସ୍ଥାନରେ ହର୍ଷଉଲ୍ଲାସର ସହ ସାଂସ୍କୃତିକ ଓ ଖେଳକୁଦର କାର୍ଯ୍ୟକ୍ରମ ମଧ୍ୟରେ ହକି ବିଶ୍ବ କପକୁ ସ୍ବାଗତ କରାଯିବ। ଏଥିପାଇଁ ଗଞ୍ଜାମ ଜିଲା ପ୍ରଶାସନ ତରଫରୁ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ତତ୍ତ୍ୱାବଧାନରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଜିଲାପାଳ ପରିଡ଼ା ଦର୍ଶାଇଛନ୍ତି ଯେ ହକି ବିଶ୍ବକପ୍ ଆମର ଗର୍ବ ଓ ଗୌରବ। ଏହି କପ୍ ଜିଲ୍ଲା ମଧ୍ୟ ଦେଇ ଗତି କରିବା ସମୟରେ ସମସ୍ତ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଜନପ୍ରତିନିଧି ଓ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ସ୍ବାଗତ କରାଯିବ।

ଆଜି ପୂର୍ବାହ୍ନରେ ଭଞ୍ଜନଗର ନିକଟ ଦୁର୍ଗାପ୍ରସାଦ ଠାରେ ଉକ୍ତ ଟ୍ରଫିକୁ ଗଞ୍ଜାମ ଜିଲା ପ୍ରଶାସନ ଦ୍ୱାରା ଆଡ଼ମ୍ବର ସହକାରେ ସ୍ବାଗତ କରାଯିବ। ଭଞ୍ଜନଗର ମଧ୍ୟ ଦେଇ ଆସିକା ଓ ହିଞ୍ଜିଳିକାଟୁରେ ପହଞ୍ଚିବା ପରେ ସ୍ବାଗତ ସହ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ସ୍ଥାନୀୟ କ୍ରୀଡାବିତ୍‌ଙ୍କୁ ସମ୍ମାନିତ କରାଯିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ସେଠାରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲାଭ କରି ଏହା ଛତ୍ରପୁର ଖେଳ ପଡ଼ିଆ ଠାରେ ପହଞ୍ଚିବ। ସେଠାରେ ହକି ଓ ଭଲିବଲ ମ୍ୟାଚ୍ ଆୟୋଜିତ ହେବ ଏବଂ ଖେଳାଳିଙ୍କୁ ସମ୍ମାନିତ କରାଯିବ। ସେଠାରୁ ବ୍ରହ୍ମପୁର ଆସି ରାତ୍ର ରହଣୀ ହେବ। ସେହିପରି ୨୯ ତାରିଖ ପୂର୍ବାହ୍ନରେ ଏକ ବିଶାଳ ରାଲି ମଧ୍ୟରେ ବ୍ରହ୍ମପୁର ସହର ପରିକ୍ରମା ପୂର୍ବକ ରାମଲିଙ୍ଗମ୍ ପୋଖରୀ ଠାରେ କପ୍ ପହଞ୍ଚିବ। ରାମଲିଙ୍ଗମ୍ ପୋଖରୀ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କ୍ରୀଡାବିତ୍‌ଙ୍କୁ ସମ୍ମାନିତ କରାଯିବ। ସେଠାରୁ ତପ୍ତପାଣି ଗସ୍ତ କରି ଗଜପତି ଜିଲା ପ୍ରଶାସନକୁ ହକି ବିଶ୍ୱକପ୍ ହସ୍ତାନ୍ତର କରାଯିବ।

ନିରାପତ୍ତା ସହିତ ହକି ବିଶ୍ବ କପ୍ ଯେପରି ଜିଲା ପରିଭ୍ରମଣ କରିପାରିବ ଏବଂ ସମସ୍ତ କାର୍ଯ୍ୟକ୍ରମରେ ଜନସାଧାରଣ କିଭଳି ବିପୁଳ ସଂଖ୍ୟାରେ ସାମିଲ ହେବେ ତାହାର ବ୍ୟାପକ ଆୟୋଜନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରକୁ ରାଜ୍ୟର ଅନ୍ୟତମ ହକି କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଯୋଜନା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏଠାରେ ହକି ଟର୍ଫ ପ୍ରସ୍ତୁତ କରାଯାଇ ଗଞ୍ଜାମ ଜିଲାରେ ହକି ଖେଳର ହୃତଗୌରବ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛ। ଏକଦା ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ହକି ଖେଳର ଅନ୍ୟତମ ଗଡ଼ ଥିଲା, ଏବେ ତାହାର ପୁନରୁଦ୍ଧାର ଦିଗରେ ହକି ବିଶ୍ୱ କପ୍ ଟ୍ରଫି ପରିଭ୍ରମଣ କାର୍ଯ୍ୟକ୍ରମ ସହାୟକ ହେବା ଆଶା କରାଯାଉଛି। ଏହାଦ୍ଵାରା ଜିଲାର କ୍ରୀଡ଼ା ମହଲ ଉତ୍ସାହିତ ହେବା ସ୍ବାଭାବିକ। ଏଥିପୂର୍ବରୁ ଜିଲାର ବିଭିନ୍ନ ବ୍ଲକ୍‌ରେ ହକି ସମ୍ବନ୍ଧିତ ଖେଳକୁଦ କାର୍ଯ୍ୟକ୍ରମ ଆୟୋଜିତ ହୋଇ ବ୍ୟାପକ ସଚେତନତା କରାଯାଇଛି।

ଏହା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ଖଜୁରୀପଡ଼ା ଠାରେ ହକି ବିଶ୍ୱ କପ୍ ଟ୍ରଫିକୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଵାଗତ କରାଯାଇ ଥିଲା। ଫୁଲବାଣୀସ୍ଥିତ କରୋନେସନ୍ ପଡ଼ିଆ ଠାରେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଟ୍ରଫିକୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା। ବୁଧବାର ସକାଳେ ଟ୍ରଫିକୁ ଫୁଲବାଣୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସାର୍ବଜନୀନ ପ୍ରଦର୍ଶନୀ କରାଯିବ। ଏହି ଅବସରରେ ଏକ ମିନି ମାରାଥନ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି। ପରେ ଟ୍ରଫି ସହ ଉକ୍ତ ରଥ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାତ୍ରା କରିବ। ସେପଟେ ଗଞ୍ଜାମ ପରେ ଗଜପତି ଜିଲ୍ଲାରେ ମଧ୍ୟ ଗୁରୁବାର ଟ୍ରଫିକୁ ସ୍ବାଗତ ଓ ପରିକ୍ରମା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Exit mobile version