Site icon ଆଜିକାଲି

ଜିଲାପାଳଙ୍କୁ ହାଜର ହେବା ପାଇଁ ମାନବାଧିକାର କମିଶନଙ୍କ ନୋଟିସ


କେନ୍ଦୁଝର, ଜାତୀୟ ମାନବାଧିକାର କମିଶନ ବୁଧବାର ଏକ ମାମଲାର ଶୁଣାଣି କରି କେନ୍ଦୁଝର ଜିଲାପାଳଙ୍କୁ ସର୍ତ୍ତମୂଳକ ବ୍ୟକ୍ତିଗତ ହାଜର ହେବା ପାଇଁ ଆଦେଶ କରିଛନ୍ତି। ନନ୍ଦିପଦା ଥାନା ଅନ୍ତର୍ଗତ ନୂଆ ରମ୍ପାସ ଗ୍ରାମରେ ଜମି ବିବାଦକୁ ନେଇ ଦମ୍ପତିଙ୍କୁ କଙ୍ଗାରୁ କୋର୍ଟ କରି ଗାଳିଗୁଲଜ କରିବା ସହ ଗ୍ରାମରୁ ପଳାଇବା ପାଇଁ କହିଥିଲେ। ସେହିପରି ତାଙ୍କୁ ୧ ହଜାର ଟଙ୍କା ଜରିମାନା ଆଦେଶ କରି ଗାଁ ସାହିରୁ ବାହାର କରି ଦେଇଥିଲେ। କଙ୍ଗାରୁ କୋର୍ଟର ଏଭଳି ଆଦେଶ ବଳରେ ତାଙ୍କୁ ଗାଁ ଦୋକାନରୁ ଜିନିଷ କିଣିବା ମନା ହୋଇଥିଲା।ଏପରିକି ଝିଅକୁ ଟ୍ୟୁଶନ ପାଇଁ ବାରଣ ହୋଇଥିଲା । କଙ୍ଗାରୁ କୋର୍ଟର ଏଭଳି ଅତ୍ୟାଚାର ଯୋଗୁ ସେମାନଙ୍କୁ ଗାଁ ଛାଡ଼ିବାକୁ ପଡିଥିଲା। ଏହି ଘଟଣାକୁ ନେଇ କମିଶନ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭଯୋଗ କରିଥିଲେ। ଅଭିଯୋଗ କ୍ରମେ କମିଶନ ୨୬ା୦୪ା୨୦୨୧ରେ ଜିଲାପାଳଙ୍କୁ ଚିଠିି କରି ପଦକ୍ଷେପ ନେବା ସହ ସବିଶେଷ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦେବାକୁ କହିଥିଲେ। ଏ ନେଇ କମିଶନ ୨୧ା୧୦ା୨୦୨୨ରେ ପୁଣି ଚିଠି କରିବା ସହ ୨୪ା୦୨ା୨୦୨୩ରେ ସର୍ତ୍ତମୂଳକ ସମନ କରିଥିଲେ। ଜିଲାପାଳଙ୍କୁ ଚିଠି କରି ୨୮ା୦୪ା୨୦୨୩ ସୁଦ୍ଧା କମିଶନଙ୍କୁ ନିର୍ଦ୍ଧାରିତ ରିପୋର୍ଟ ଦେବା ପାଇଁ କହିଥିବା ରାଜ୍ୟ ସରକାରଙ୍କ ଗୃହ ବିଭାଗର ଯୁଗ୍ମ ସଚିବ ୧୪ା୦୨ା୨୦୨୩ରେ କମିଶନଙ୍କୁ ଚିଠି କରିଥିଲେ। ଏହା ସତ୍ତ୍ୱେ ନିର୍ଦ୍ଧାରିତ ସମୟ ମଧ୍ୟରେ କମିଶନ ନିକଟରେ ରିପୋର୍ଟ ଦେଇ ନ ଥିବାରୁ ୦୭ା୦୭ା୨୦୨୩ ମଧ୍ୟାହ୍ନ ୧୧ଟାରେ ରିପୋର୍ଟ ଧରି ହାଜର ହେବା ପାଇଁ କମିଶନ ତାଙ୍କୁ ସର୍ତ୍ତମୂଳକ ବ୍ୟକ୍ତିଗତ ହାଜର ପାଇଁ ଆଦେଶ କରିଛନ୍ତି। ନଚେତ ରୁଲ୍‌ ୧୦, ରୁଲ୍‌ ୧୨ ଅଫ୍‌ ଅର୍ଡର ଏକ୍ସଭିଆଇ ଅଫ୍‌ ସିଭିଲ ପ୍ରୋସିଜିୟର କୋର୍ଡ ୧୯୦୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନଙ୍କ ଡେପୁଟି ରେଜିଷ୍ଟ୍ରର କେକେ ଶ୍ରୀ ବାସ୍ତବ ନୋଟିସ କରିବା ସହ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ କପି ପ୍ରଦାନ କରିଛନ୍ତି ।

Exit mobile version