Site icon ଆଜିକାଲି

ପଶ୍ଚିମବଙ୍ଗରେ ନିଆଁ ଜଳିଲେ ଅନ୍ୟ ରାଜ୍ୟ ମଧ୍ୟ ପ୍ରଭାବିତ ହେବ : ମମତା

କଲକାତା: ବିଜେପିର ପଶ୍ଚିମବଙ୍ଗ ବନ୍ଦ ପାଳନକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି। ମୋଦୀଙ୍କ ଉଦ୍ଦେଶ୍ୟରେ ମମତା କହିଛନ୍ତି ଯେ ପଶ୍ଚିମବଙ୍ଗରେ ନିଆଁ ଜଳିଲେ ଏଥିରେ ଅନ୍ୟ ରାଜ୍ୟ ମଧ୍ୟ ପ୍ରଭାବିତ ହେବ।

ମମତା କହିଛନ୍ତି ଯେ ମୋଦୀ ତାଙ୍କ ଦଳକୁ ଉପଯୋଗ କରି ପଶ୍ଚିମବଙ୍ଗରେ ନିଆଁ ଲଗାଇବାକୁ ଚେଷ୍ଟା କରୁଛନ୍ତି। ବିଜେପି ଯଦି ଏପରି ଚେଷ୍ଟା କରେ ତେବେ ଆସାମ, ଉତ୍ତରପୂର୍ବାଞ୍ଚଳ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା ଓ ଦିଲ୍ଲୀରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେବ। ଆମେ ତୁମର ଆସନକୁ ଦୋହଲାଇଦେବୁ। ଟିଏମ୍‌ସି ଛାତ୍ର ପରିଷଦ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ରାଲିକୁ ସମ୍ବୋଧନ କରି ମମତା ବୁଧବାର ଏପରି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ବନ୍ଦ ଓ ବିକ୍ଷୋଭ କରି ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ମୃତଦେହକୁ ଆଧାର କରି ବିଜେପି ରାଜନୀତି କରୁଛି। ଅନ୍ୟପଟେ ମମତା କହିଛନ୍ତି ଯେ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ରାଜ୍ୟ ସରକାର ଆଇନରେ ପରିବର୍ତ୍ତନ କରିବେ। ଆସନ୍ତା ସପ୍ତାହରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇ ଆଇନର ପରିବର୍ତ୍ତନ କରାଯିବ ବୋଲି ମମତା ଘୋଷଣା କରିଛନ୍ତି। ମମତାଙ୍କ ଘୋଷଣା ପରେ ପଶ୍ଚିମବଙ୍ଗ କ୍ୟାବିନେଟ ବୁଧବାର ରାତିରେ ଏ ସମ୍ପର୍କିତ ନୂଆ ଆଇନକୁ ଅନୁମୋଦନ କରିଛି ନୂଆ ଆଇନକୁ ଅନୁମୋଦନ କରିବାରେ ରାଜ୍ୟପାଳ ଯଦି ବିଳମ୍ବ କରନ୍ତି ତେବେ ସେ ରାଜଭବନ ବାହାରେ ଧାରଣାରେ ବସିବେ। ମମତା କହିଛନ୍ତି ଯେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ଆବଶ୍ୟକ ଆଇନ ପ୍ରଣୟନ ଲାଗି ତାଙ୍କ ଦଳ କେନ୍ଦ୍ର ଉପରେ ଚାପ ପକାଇବ। ଏଥିପାଇଁ ଶନିବାର ଠାରୁ ଟିଏମସି ଆନ୍ଦୋଳନ କରିବ।

Exit mobile version