Site icon ଆଜିକାଲି

ଇଫୁ ମଲ୍ଲିକଙ୍କ ପରିବାରକୁ ମିଳିଲା ବିଜୁ ପକ୍କା ଘର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାର ଗରିବ ଜନଜାତି ପରିବାରର ଡାକ୍ତରୀ ଛାତ୍ର ଇଫୁ ମଲ୍ଳିକଙ୍କ ପରିବାର ଏବେ ପକ୍କା ଘରେ ରହିବେ। ପ୍ରଥମେ ରାଜ୍ୟ ସରକାର ଇଫୁଙ୍କ ଡାକ୍ତରୀ ପଢ଼ା ଖର୍ଚ୍ଚ ବହନ କରିବେ ବୋଲି କହିଥିବା ବେଳେ ଏବେ ତାଙ୍କ ପରିବାରକୁ ବିଜୁ ପକ୍କା ଘରଟିଏ ମଞ୍ଜୁର ହୋଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକ୍ ବାଗ୍ରାମିଲା ଗାଁରେ ବସବାସ କରୁଥିବା ଇଫୁଙ୍କ ପରିବାରକୁ ସ୍ଥାନୀୟ ବିଡିଓ ବିଜୁ ପକ୍କା ଘର କାର୍ଯ୍ୟାଦେଶ ପତ୍ର ଦେଇଛନ୍ତି। ବିଡିଓ ନିଜେ ଇଫୁଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ବିଜୁ ପକ୍କା ଘର ନିର୍ମାଣ ଲାଗି ଆଦେଶ ପତ୍ର ପ୍ରଦାନ କରିଛନ୍ତି । ଇଫୁ ଏ ବର୍ଷ ନିଟ ପରୀକ୍ଷାରେ ପାସ ହୋଇ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ନାମ ଲେଖାଇଥିଲେ ମଧ୍ୟ ଆର୍ଥିକ ଦୁରାବସ୍ଥା ଯୋଗୁଁ ବେଶ୍ ସଂଘର୍ଷ କରିଥିଲେ । ସେ ବିଲରେ ଦିନ ମଜୁରିଆ ଓ ଅନ୍ୟାନ୍ୟ କାମ କରି ଅର୍ଥ ସଂଚୟ କରୁଥିବା ନେଇ ମୁଖ୍ୟମନ୍ତ୍ରୀ ଅବଗତ ହେଲା ପରେ ରାଜ୍ୟ ସରକାର ତାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଥିଲେ।

ଏହା ପରେ ଇଫୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏବେ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ପକ୍କା ଘରଟିଏ ମିଳିଛି। ଇଫୁଙ୍କ ପରିବାରରେ ତାଙ୍କ ବୃଦ୍ଧ ବାପା ,ମା’, ବଡ଼ ଭାଇ ଓ ସାନ ଭଉଣୀ ଅଛନ୍ତି। ହେଲେ କେହି ରୋଜଗାରିଆ ନୁହନ୍ତି। ଚାଷବାସ କରି ଓ ମୂଲ ଲାଗି ତାଙ୍କ ପରିବାର ଲୋକେ ପେଟ ପୋଷିଥାଆନ୍ତି।

Exit mobile version