Site icon ଆଜିକାଲି

ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଏହି ସବୁ ଜିଲାରେ ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ । ଫଳରେ ଆଜିଠୁ ରାଜ୍ୟର ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିବ। ସେହିପରି ମାର୍ଚ୍ଚ ୩୧ ଓ ଏପ୍ରିଲ ପହିଲାରେ କେତେକ ଜିଲାରେ ସର୍ବାଧିକ ପ୍ରଭାବ ପକାଇବ। କୁଆପଥର ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ୬ଟି ଜିଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ସବୁ ଜିଲାରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେହିପରି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲାରେ ପଶ୍ଚିମା-ଝଡ଼ର ପ୍ରଭାବ ରହିବ। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବ। ମାର୍ଚ୍ଚ ୩୧ ସକାଳ ୮ଟା ୩୦ରୁ ଏପ୍ରିଲ ୧ ସକାଳ ୮ଟା ୩୦ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ସହ ବର୍ଷା ହେବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କଟକ ଓ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ଜିଲାଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ସହ ଝଡ଼ବର୍ଷା ହେବ।

ଏପ୍ରିଲ ୨ ତାରିଖ ସକାଳ ସୁଦ୍ଧା ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏପ୍ରିଲ ୨ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି। ବୁଧବାର ଯାଜପୁରରେ ସର୍ବାଧିକ ୪୪ ମିମି ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ବର, ଭୁବନେଶ୍ବର, ବାରିପଦା, କେନ୍ଦୁଝର, ତାଳଚେର, ପାରଳାଖେମୁଣ୍ଡିରେ ବର୍ଷା ହୋଇଛି।

Exit mobile version