Site icon ଆଜିକାଲି

ଭୋପାଳ ଗ୍ୟାସ୍ ଟ୍ରାଜେଡି ମାମଲାରେ କେନ୍ଦ୍ରକୁ ଧକ୍କା, କ୍ଷତିପୂରଣ ରାଶି ବୃଦ୍ଧି ଆବେଦନ ଖାରଜ



ନୂଆଦିଲ୍ଲୀ: ୧୯୮୪ ଭୋପାଳ ଗ୍ୟାସ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଆମେରିକୀୟ କମ୍ପାନୀ ୟୁନିଅନ କାର୍ବାଇଡ (ବର୍ତ୍ତମାନ ‘ଡୋ କେମିକାଲ୍ସ’ ମାଲିକାନାରେ) ଠାରୁ ଅତିରିକ୍ତ କ୍ଷତିପୂରଣ ଦାବି କରି କେନ୍ଦ୍ର ସରକାର ୨୦୧୦ରେ ଏକ କ୍ୟୁରେଟିଭ୍ ପିଟିସନ ଦାୟର କରିଥିଲେ।

ଏହି ଆବେଦନରେ ୟୁନିୟନ କାର୍ବାଇଡରୁ ପ୍ରାୟ ୭୮୦୦ କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦାବି କରାଯାଇଥିଲା। ତେବେ କେନ୍ଦ୍ରର ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ଜଷ୍ଟିସ ଏସ.କେ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏସ୍ ଓକା, ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ଜେ.କେ ମହେଶ୍ୱରୀଙ୍କ ଖଣ୍ଡପୀଠ ୧୨ ଜାନୁୟାରୀ ୨୦୨୩ରେ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ଆବେଦନ ଆଇନଗତ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ।

ଗ୍ୟାସ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ କ୍ଷତିପୂରଣ ବାବଦରେ ଅବହେଳା ପାଇଁ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ନିଜେ ପୀଡିତଙ୍କ ପାଇଁ ବୀମା ବ୍ୟବସ୍ଥା କରିନଥିଲେ । ଏଭଳି ସ୍ଥିତିରେ ୟୁନିୟନ କାର୍ବାଇଡ ଉପରେ ଦାୟିତ୍ବ ଲଦିବାକୁ କୋର୍ଟ କହିପାରିବେ ନାହିଁ।

ଭୋପାଳ ଗ୍ୟାସ୍ ପୀଡ଼ିତାଙ୍କୁ ୟୁନିଅନ୍ କାର୍ବାଇଡ୍ ୪୭ କୋଟି ଡଲାର କ୍ଷତିପୂରଣ ଦେଇଥିଲା । କିନ୍ତୁ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରି କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଦାବି କରାଯାଇଥିଲା। ୧୯୯୧ ମସିହାରେ ସୁପ୍ରିମକୋର୍ଟ ଏହି କେସ୍ ପୁଣି ଖୋଲିବାକୁ ମନା କରିଦେଇଥିଲେ। ପୁଣି ୧୯ ବର୍ଷ ପରେ କ୍ଷତିପୂରଣ ରାଶି ବୃଦ୍ଧି ଦାବିରେ କେନ୍ଦ୍ର ଏକ କ୍ୟୁରେଟିଭ୍ ପିଟିସନ ଦାଖଲ କରିଥିଲା ଯାହାକୁ ସୁପ୍ରିମକୋର୍ଟଙ୍କ ମଙ୍ଗଳବାର ଖାରଜ କରିଦେଇଛନ୍ତି ।

ସୂଚନା ଯେ, ୧୯୮୪ ମସିହା ଡିସେମ୍ବର ୨ ଓ ୩ ରାତିରେ ଭୋପାଳ ସ୍ଥିତ ୟୁନିଅନ୍ କାର୍ବାଇଡ୍ କାରଖାନାରୁ ପ୍ରାୟ ୪୦ ଟନ୍ ବିଷାକ୍ତ ‘ମିଥାଇଲ୍ ଅୟିସୋସାୟିନେଟ୍’ ଗ୍ୟାସ୍ ଲିକ୍ ହୋଇଥିଲା । ଏଥି ଯୋଗୁଁ ଭୋପାଳ ସହର ଓ ଆଖପାଖ ଅଞ୍ଚଳରେ ପ୍ରାୟ ୫,୨୯୫ ଲୋକଙ୍କ ମୃତ୍ୟୁ ହୋଇଥିଲା |

Exit mobile version