Site icon ଆଜିକାଲି

ସ୍ୱାସ୍ଥ୍ୟ କ୍ଷେତ୍ରରେ ଆରମ୍ଭ ହେବ ‘ଆମ ହସ୍ପିଟାଲ’ ନୂଆ ଯୋଜନା

ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପିତ ହୋଇଥିବା ରାଜ୍ୟ ବଜେଟରେ ତେବେ ଚଳିତ ବର୍ଷ ବଜେଟର ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି ୧୬ ହଜାର ୪୮ କୋଟି ଟଙ୍କା । ଏଥର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଗତବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ବଜେଟ୍ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ‘ଆମ ହସ୍ପିଟାଲ’ ନୂଆ ଯୋଜନା ଆରମ୍ଭ କରିବେ । ଏଥିପାଇଁ ରାଜ୍ୟ ବଜେଟରେ ୭୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ତେବେ ଆଗାମୀ ୧ ବର୍ଷ ଭିତରେ ୧୪୭ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରିତ କରାଯିବ ।

ରାଜ୍ୟ ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନରେ ଭିତ୍ତିଭୂମିର ବିକାଶ ପାଇଁ ୩ ହଜାର ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରେ ଏସସିବିର ପୁନଃବିକାଶ ପାଇଁ ୧ ହଜାର ୪ ଶହ କୋଟି ଟଙ୍କା ରହିଛି । ୧୦୮ ଆମ୍ବୁଲାନ୍ସ ସେବା ପାଇଁ ଏଥର ବଜେଟରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କେମୋଥେରାପି, ଅଙ୍କୋ ସର୍ଜରୀ, ରେଡିଓଥେରାପି ଓ ପୀଡା ଉପଶମକାରୀ କର୍କଟରୋଗର ଚିକିତ୍ସା ପାଇଁ ୩ଟି ପର୍ଯ୍ୟାୟରେ ୧୧ଟି କେନ୍ଦ୍ର ପ୍ରତିଷ୍ଠା ହେବ । ଏଥିପାଇଁ ୧ ହଜାର ୪୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ହରିଶ୍ଚନ୍ଦ୍ର ସହାୟତା ଯୋଜନା ଅଧୀନରେ ସହାୟତା ରାଶିକୁ ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ସହରାଞ୍ଚଳରେ ଏବେ ଏହି ରାଶିର ପରିମାଣ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

Exit mobile version