Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦେବାଶିଷ ଓ ଶୁଭାଶିଷ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଦୁଇ ନେତା ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ବିଜେଡିର ଅନେକ ମନ୍ତ୍ରୀ ଓସବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ।ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ଥିଲେ। ଗତକାଲି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ବିଜେଡି ଯୁବ ଉପସଭାପତି ପୁରୀର ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ଦଳ।

୧୯୬୦ ମସିହାରେ ଜନ୍ମ ଗ୍ରହଣ କରିଥିବା ଦେବାଶିଷ ସାମନ୍ତରାୟ ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ପୁଅ । ଦେବାଶିଷ ୧୯୮୨ ମସିହାରେ ଶ୍ରୀଅରବିନ୍ଦ ଇଣ୍ଟରନ୍ୟାସନାଲ ସେଣ୍ଟର ଅଫ ଏଜୁକେସନରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ବିଜେଡି ଟିକେଟରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଦେବାଶିଷ । ପ୍ରଥମେ ୨୦୦୦ ମସିହାରେ ତିର୍ତ୍ତୋଲରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ପରେ ୨୦୦୯ ଓ ୨୦୧୪ରେ ଲଗାତାର ଦୁଇଥର ବାରବାଟୀ କଟକ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିବା ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ଶୁଭାଶିଷ ଖୁଣ୍ଟିଆ। ସେ ୨୦୦୭-୦୮ରେ ପୁରୀ ଜିଏମ ଲ’ କଲେଜ ସଭାପତି ଥିଲେ । ସେଠାରୁ ସେ ଆରମ୍ଭ କରିଥିଲେ ରାଜନୀତି । ପରବର୍ତ୍ତୀ ସମୟରେ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ପରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରହିଥିବା ବେଳେ ବର୍ତ୍ତମାନ ଯୁବ ବିଜେଡିର ଉପସଭାପତି ଦାୟିତ୍ଵ ତୁଲାଉଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସଫଳତା ପଛରେ ତାଙ୍କର ବିଶେଷ ଅବଦାନ ରହିଛି।

Exit mobile version