Site icon ଆଜିକାଲି

ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ଆସିଲେ କଳାବାଘ ସହ ୧୮ ଜନ୍ତୁ

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନର ଶୋଭା ବୃଦ୍ଧି ସହିତ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବାକୁ ଚଳିତବର୍ଷ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ନନ୍ଦନକାନନରୁ ଗତ ମଙ୍ଗଳବାର ୭ ପ୍ରଜାତିର ୫୩ ଜୀବଜନ୍ତୁଙ୍କୁ ରାଞ୍ଚିର ଭଗବାନ ବିର୍ଶା ଜୀବ ଉଦ୍ୟାନକୁ ପଠାଯାଇଥିଲା। ପ୍ରତିବଦଳରେ ସେଠାରୁ ଶନିବାର କ୍ରିଷ୍ଣା ନାମକ ଗୋଟିଏ ମାଈ କଳାଲୋମଯୁକ୍ତ ବାଘ, ଲକ୍ଷ୍ମୀ ନାମକ ଗୋଟିଏ ମାଈ ସାଧାରଣ ବାଘ, ୪ ହେଟାବାଘ (୩ ଅଣ୍ଡିରା, ଗୋଟିଏ ମାଈ), ୧୦ ଭାରତୀୟ ଝିଙ୍କ (୫ମାଈ, ୫ଅଣ୍ଡିରା), ୨ ଅଣ୍ଡିରା ନୀଳଗାଈ ନନ୍ଦନକାନନ ଅଣାଯାଇଛି। ନୂଆ ଅତିଥିଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ପ୍ରାଣୀଉଦ୍ୟାନର ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେନଟାଇନ ପୃଥକୀକରଣ ଖୁଆଡ ଓ ତୃଣଭୋଜି ସଫାରୀରେ ନୀଳଗାଈ ଓ ଝିଙ୍କ ଖୁଆଡରେ ଝିଙ୍କ ରଖାଯାଇଛି।

ଜନ୍ତୁ ଆଣିବା ପାଇଁ ଗତ ୯ତାରିଖରେ ନନ୍ଦନକାନନର ଜନ୍ତୁ ବନାଞ୍ଚଳ (ରେଞ୍ଜର) ନୂତନ କୁମାର ହେମ୍ବ୍ରମଙ୍କ ନେତୃତ୍ବରେ ପ୍ରାଣୀଉଦ୍ୟାନ ଚିକିତ୍ସକ ଡ. ସନ୍ତୋଷ କୁମାର ଗୁପ୍ତା, ଫରେଷ୍ଟଗାର୍ଡ ପ୍ରତାପ କୁମାର ଖୁଣ୍ଟିଆ,ଜନ୍ତୁ ରକ୍ଷକ ପ୍ରଫୁଲ ବାଗ୍ ସମେତ ୯ଜଣିଆ ଦଳ ରାଞ୍ଚି ଯାତ୍ରା କରିଥିଲେ। ୧୪ରେ ଜନ୍ତୁ ନେଇ ନନ୍ଦନକାନନରେ ପହଞ୍ଚିବା ପରିବର୍ତ୍ତେ ଗୋଟିଏ ଦିନ ଆଗରୁ ଆସି ପହଞ୍ଚିଛନ୍ତି। ତେବେ ୫ ନୀଳଗାଈ (୨ ଅଣ୍ଡିରା, ୩ମାଈ) ପରିବର୍ତ୍ତେ ୨ ଅଣ୍ଡିରା ନୀଳଗାଈ ଆସିଛି।

FacebookTwitterLinkedinWhatsapp
Exit mobile version