Site icon ଆଜିକାଲି

ହାଇକୋର୍ଟରେ ପହଞ୍ଚିଲା ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ଘଟଣା

କଟକ : ବିକୃତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ ଉପୁଜିବା ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି । ବିକୃତ ମୂର୍ତ୍ତି ନିର୍ମାଣ କରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ତାଗିଦ କରିବା ପରେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଶିଳ୍ପୀ କୁମ୍ଭାରସାହିର ମୂର୍ତ୍ତି କାରିଗର ନାରାୟଣ ମୁଦୁଲି । ପୋଲିସ ମୂର୍ତ୍ତି କାରିଗରଙ୍କୁ ନିର୍ଯାତନା ଦେଇଥିବାର ସେ ମାମଲାରେ ଦର୍ଶାଇଛନ୍ତି । କିଛି କାରୀଗରଙ୍କୁ ଥାନାରେ କିଛି ଘଣ୍ଟା ଅଟକ ରଖାଯାଇଛି । ଏପରିକି ପୋଲିସ କାରୀଗରଙ୍କୁ ଧମକ ଦେଇଥିବାର ମାମଲାରେ ଉଲ୍ଲେଖ କରାଯାଇଛି । ପରବର୍ତ୍ତୀ ସମୟରେ ଆଉ ବିକୃତ ମୂର୍ତ୍ତି ତିଆରି କରିବେ ନାହିଁ ବୋଲି ଏକ ଅଣ୍ଡରଟେକିଂ ଦେଇ କାରିଗରମାନଙ୍କୁ ଛଡାଯାଇଛି । ତେବେ ପୋଲିସ ଭୟରେ କାରୀଗରମାନେ ସାଧା କାଗଜରେ ଦସ୍ତଖତ ଦେବାକୁ ବାଧ୍ୟ ହୋଇଥିଲେ ବୋଲି ଆବେଦନରେ ଦର୍ଶାଯାଇଛି ।

କୋରୋନା ପାଇଁ ଦୀର୍ଘ ଦୁଇବର୍ଷ କାରିଗରମାନେ ହାତ ବାନ୍ଧି ଘରେ ବସିଥିଲେ । କୋରୋନା ସ୍ଥିତି ସ୍ବାଭାବିକ ହେବାପରେ ଚଳିତ ବର୍ଷ ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ କରିବାରେ ଲାଗି ପଡିଛନ୍ତି ମୂର୍ତ୍ତି କାରିଗର । କିନ୍ତୁ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେମାନଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି । ଯେଉଁ ବିକୃତ ଗଣେଶକୁ ନେଇ ପୋଲିସ ତାଗିଦ କରୁଛି, ତାହା ପୂର୍ବରୁ ଅନେକ ମଣ୍ଡପରେ ପୂଜା କରାଯାଉଥିଲା । ଏହା କୌଣସି ଧାର୍ମିକ ଭାବନାକୁ ଆଘାତ ଦେଉ ନାହିଁ ବୋଲି ମୂର୍ତ୍ତି କାରିଗର ଆବେଦନରେ ଦର୍ଶାଇଛନ୍ତି । ଏହାସହିତ ଆବେଦନକାରୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ ରାଜ୍ୟ ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ, କଟକ ଡିସିପି, ପୁରୀଘାଟ ଥାନା ଅଧିକାରୀ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ମାତ୍ର ଦିନ କେଇଟା ପରେ ଗଣେଶ ଚତୁର୍ଥୀ । ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଗଜାନନ । ଦୁଇ ବର୍ଷର କୋରୋନା କଟକଣା ପରେ ଭକ୍ତମାନେ ସିଧାସଳଖ ଯାଇ ଠାକୁରଙ୍କୁ ଦର୍ଶନ କରିପାରିବେ। ଆଧ୍ୟାତ୍ମିକ ମନୋଭାବ ନେଇ ଶୃଙ୍ଖଳିତ ଭାବେ ପାଳନ କରିବା ଉପରେ କମିଶନରେଟ ପୋଲିସ ଗୁରୁତ୍ବାରୋପ କରିଛି । ଚଳିତ ଥର କଟକ ସହରରର ଅନେକ କ୍ଳବ ଓ କମିଟି ବେଶ ଉତ୍ସାହର ସହ ଗଣେଶ ପୂଜା ପାଳନ କରିବେ । ତେବେ କିଛି ଲୋକ ଭକ୍ତି ଓ ଶ୍ରଦ୍ଧା ନୁହେଁ ବରଂ ସଉକ ପାଇଁ ପୂଜା ପାଳୁଥିବା ଦେଖିବାକୁ ମିଳୁଛି । ଅଶୋଭନୀୟ ମୂର୍ତ୍ତି ପାଇଁ କାରିଗରଙ୍କୁ ବହିନା ଦେଉଛନ୍ତି । କାରିଗର ମଧ୍ୟ ଟଙ୍କା ଲୋଭରେ ପୁଷ୍ପା ଷ୍ଟାଇଲ, ବାହୁବଳୀ, କୋର୍ଟ ସୁଟ ପିନ୍ଧା ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି । ଏପରି ମୂର୍ତ୍ତି ଗଢୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚାଇ ଦେଇଛନ୍ତି ।

Exit mobile version