Site icon ଆଜିକାଲି

କେନ୍ଦୁଝରରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା: ଚିହ୍ନଟ ହେଲେଣି ୫୧

କେନ୍ଦୁଝର, (ବ୍ରଜକିଶୋର ରାୟ) ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ଥିବାବେଳେ କେନ୍ଦୁଝର ଜିଲାରେ ରୋଗୀ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହୋଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୫୧ଜଣରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ବହୁ ସଂଖ୍ୟାରେ ରୋଗୀ ବେସରକାରୀ ଚିକିତ୍ସାଳୟରେ ପରୀକ୍ଷା କରି ଚିକିତ୍ସିତ ହେଉଥିବାରୁ ସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି। ପୂର୍ବ ଦିନରେ ଜିଲାରେ ଡେଙ୍ଗୁ ଭୟାବହତା ଲୋକେ ଦେଖିଛନ୍ତି। ଏବେ ରୋଗୀ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ପ୍ରକାଶ ଯେ, ୨୦୧୬ରେ କେନ୍ଦୁଝର ଜିଲାର ବଡ଼ବିଲରେ ଡେଙ୍ଗୁ ଆତଙ୍କ ଖେଳାଇଥିଲା। ସେତେବେଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଥିବା ବେଳେ ସର୍ବାଧି ରେକର୍ଡ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୧ରେ ୧୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୧୨ ରେ ୧୪, ୨୦୧୩ରେ ୩୦, ୨୦୧୪ରେ ୩୪୩, ୨୦୧୫ରେ ୭୩ ଜଣ, ୨୦୧୬ରେ ୧୪୬୯ ଜଣ, ୨୦୧୭ରେ ୯୩ ଜଣ, ୨୦୧୮ରେ ୨୮ ଜଣ, ୨୦୧୯ରେ ୨୬ଜଣ, ୨୦୨୦ରେ କୌଣସି ରୋଗୀ ଚିହ୍ନଟ ହୋଇ ନ ଥିବାବେଳେ ୨୦୨୧ରେ ୨୯, ୨୦୨୨ରେ ୨୭ ଓ ୨୦୨୩ରେ ଏପର୍ଯ୍ୟନ୍ତ ୫୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲାରେ ୨୦୧୧ ରୁ ଡେଙ୍ଗୁରେ ମୋଟ ୮ ଜଣ ପ୍ରାଣ ହରାଇଥିବା ବେଳେ ୨୦୧୩ରେ ଶାଳଣିଆଁରେ ଜଣେ, ୨୦୧୬ରେ ବଡ଼ବିଲ ପୌରାଞ୍ଚଳରେ ୫ଜଣ, ୨୦୧୭ରେ ପାଟଣାରେ ଜଣେ, ୨୦୧୮ରେ ଶାଳଣିଆଁରେ ଜଣେ ଡେଙ୍ଗୁ ରୋଗୀ ପ୍ରାଣ ହରାଇଥିଲେ। ଜିଲାରେ ବିଭିନ୍ନ ଗ୍ୟାରେଜରେ ଟାୟାର, ପୁରୁଣା ଅବ୍ୟବହୃତ କୁଲର ଓ ପୁରୁଣା ଯନ୍ତ୍ରାଂଶ ଗଦା ହେଉଛି। ସେଥିରେ ପାଣି ଜମି ଏଡିସ୍‌ ମଶା ଜନ୍ମ ନେଉଥିବାରୁ ଡେଙ୍ଗୁ ବ୍ୟାପୁଛି। ପୌର ପ୍ରଶାସନ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ହୋଇପାରୁ ନ ଥିବାରୁ ମଶା, ମାଛି ବଂଶ ବୃଦ୍ଧି ସହ ଏଡିଶ୍‌ ମଶା ବଢ଼ିବାରେ ସହାୟକ ହେଉଛି ବୋଲି ଅଭିଯୋଗ ହେଉଛି। ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦେବେନ ଦାସ କହିଛନ୍ତି, ଯେଉଁମାନଙ୍କର ଜ୍ୱର ହେଉଛି ଏବଂ ବାହାରକୁ ଯାତ୍ରା କରିଥିବେ ସେମାନଙ୍କର ଜ୍ୱର ହେଲେ ଡେଙ୍ଗୁ ପରୀକ୍ଷା (ଏଲିସା) ମେଥଡ୍‌ରେ ପରୀକ୍ଷା କରାଯାଉଛି। ସର୍ଭେଲାନ୍ସ ଓ ଟେଷ୍ଟିଂ ବଢ଼ିଥିବାରୁ ରୋଗୀ ସଂଖ୍ୟା ବଢିଛନ୍ତି। ଡେଙ୍ଗୁ ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ଉପଲବ୍ଧ ରହିଛି। ମଶା ଉତ୍ସକୁ ନଷ୍ଟ କରାଯାଉଛି, ପରିବେଶ ସଫା ସୁତୁରା ରଖିବାକୁ ସଚେତନ କରାଯାଉଛି।

Exit mobile version